Unknown

 

 

 

 

 

 

 

 

 

 

 

ପ୍ରକ୍ଷେପ

କାହ୍ନୁଚରଣ ମହାପାତ୍ର

 

ଉତ୍ସଗ ପତ୍ର

 

ଉତ୍କଟ ଦାରିଦ୍ର୍ୟର ବିଲୋପ ସାଧନା ନିମନ୍ତେ କୈଶୋରାବସ୍ଥାରୁ ବୈଷୟିକ ବ୍ୟାପରର ସର୍ବଦା ଲିପ୍ତ ରହୁଥିଲେ ସୁଦ୍ଧା ପଲ୍ଲୀ ଅଞ୍ଚଳସ୍ଥିତ ନିଜର କ୍ଷୁଦ୍ର କୁଟୀର ମଧ୍ୟରେ ଗୋଟିଏ ସାଂସ୍କୃତିକ ପରିବେଶ ସୃଷ୍ଟି କରି ପାରିଥିଲେ ଯେ, ଆୟୁର୍ବେଦୀୟ କବିରାଜ ଭାବରେ ସାଧାରଣ ଜନତାର ସେବାରେ ବ୍ରତୀ ରହି ଆତ୍ମ-ସନ୍ତୋଷ ଲାଭ କରୁଥିଲେ ଯେ, ନିଜର ସନ୍ତାନସନ୍ତତିମାନଙ୍କର ଜ୍ଞାନର ବିଜ୍ଞାନ ବିକାଶ ଓ ଆଧ୍ୟାତ୍ମିକତା ବୃଦ୍ଧି ନିମନ୍ତେ ଥିଲା ଯାହାଙ୍କ ଅହରହ ପ୍ରଚେଷ୍ଟା; ଏବଂ ପ୍ରେୟ ପରିବର୍ତ୍ତରେ ଶ୍ରେୟ ଆଚରଣ କରିବା ନିମନ୍ତେ ଯେ ଦେଇଥିଲେ ଅଦ୍ୟମ ପ୍ରେରଣା, ସେଇ ସ୍ୱର୍ଗତ ପିତୃଦେବ କୁଞ୍ଜବନ ମହାପାତ୍ରଙ୍କର ପବିତ୍ର ଚରଣରେ ଭକ୍ତିର ନିଦର୍ଶନ ସ୍ୱରୂପ ଉତ୍ସୃଷ୍ଟ ଏଇ

 

‘ପ୍ରକ୍ଷେପ’

 

ବିନୀତ

କାହ୍ନୁ

ତା୨୧। ୭ । ୧୯୬୩

☆☆☆

 

କୃତଜ୍ଞତା ଜ୍ଞାପନ

 

ସାହିତ୍ୟର ଅନୁଶୀଳନ କରିବା କର୍ମକ୍ଷେତ୍ରରେ ଅନୁକୂଳ ନୁହେଁ । ତଥାପି ଅବସର ସମୟରେ ବିଦ୍ୱାନ୍‍ ବ୍ୟକ୍ତିମାନଙ୍କଠାରୁ କାବ୍ୟ, ଶାସ୍ତ୍ରର ଆଲୋଚନା ଶୁଣିବା ପାଇଁ କେବଳ ସ୍ପୃହାମାତ୍ର ଥାଏ ।

 

ମୋର ସେହି ଅଭିଳାଷ ବହୁମାତ୍ରାରେ ପୂରଣ କରିଥାନ୍ତି ମୋର ପରମ ସୁହୃତ୍‌ ତଥା ଲବ୍‌ଧ ପ୍ରତିଷ୍ଠା ଲେଖକ ଶ୍ରୀଯୁକ୍ତ ସତ୍ୟାନନ୍ଦ ବେହୁରା । ତାଙ୍କର ସାହଚର୍ଯ୍ୟ, ଆଳାପ ଓ ଆଲୋଚନା ସାହିତ୍ୟ ପ୍ରତି ମୋର ଯେଉଁ ଅନୁରାଗ ସୃଷ୍ଟି କରିଅଛି, ତହିଁ ନିମନ୍ତେ ମୁଁ ତାଙ୍କଠାରେ ଚିରଋଣୀ ।

 

ମୋର ସହପାଠୀ ତଥା ଅନ୍ତରଙ୍ଗ ବନ୍ଧୁ ଶ୍ରୀ ବାଞ୍ଛାନିଧି ହୋତୋ, ରେଭିନ୍ୟୁ ବୋର୍ଡ଼ର ଜଣେ କର୍ମଚାରୀ ଶ୍ରୀ ଶମ୍ଭୁନାଥ ମୋଦକ, ରାୟଗଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପି: ଭି: ରତ୍ନମ୍‌, କଳାହାଣ୍ଡି ଜିଲ୍ଲା ସ୍କୁଲ ସମୂହର ଇନ୍‌ସପେକ୍ଟର ଶ୍ରୀ ସନ୍ତୋଷ କୁମାର କବି ମୋତେ ଯେଉଁ ଉତ୍ସାହ ଓ ପ୍ରେରଣା ଦେଇଅଛନ୍ତି ତହିଁ ପାଇଁ ସେମାନଙ୍କ ନିକଟରେ ମୁଁ କୃତଜ୍ଞ ।

 

ଏଥି ବାହାରେ ଶ୍ରଦ୍ଧେୟ ନୀଳମାଧବ ପାଣିଗ୍ରାହୀଙ୍କର ସାନ୍ନିଧ୍ୟ ଏବଂ ସମାଲୋଚନା ମୂଳକ ସାହିତ୍ୟର ଆଲୋଚନା ମୋ ଉପରେ ଯଥେଷ୍ଟ ପ୍ରଭାବ ପକାଇ ଥିବାରୁ ମୁଁ ତାଙ୍କର କଲ୍ୟାଣ କାମନା କରୁଅଛି ।

 

ଆହୁରି ମଧ୍ୟ ମୋର ଅନେକ ବନ୍ଧୁ ମୋତେ ବହୁଭାବରେ ଉତ୍ସାହିତ କରିଥିବାରୁ ମୁଁ ସେ ସମସ୍ତଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଅଛିଁ ।

 

ବଶମ୍ବଦ

କାହ୍ନୁ ଚରଣ ମହାପାତ୍ର

ତା ୨୧ । ୭ । ୧୯୬୩

☆☆☆

 

ଏକଲବ୍ୟ

 

ଏକଲବ୍ୟ ! ଶବର ସନ୍ତାନ !

କୁଳୀନ ବ୍ରାହ୍ମଣ ମୁହିଁ ନତଶିରେ ଛୁଏଁ ଭୂଇଁ

କରିବାକୁ ତବ ଯୁଗ୍ମ ଚରଣେ ବନ୍ଦନ

ଯେଣୁ ମୁଁ ହିଁ ତୁମ୍ଭ ତୁଲେ କ୍ଷୁଦ୍ର, ଅକିଞ୍ଚନ ।।୧।।

ନ ସହିଲ କି ଘୋର ଲାଞ୍ଛନା,

ଦ୍ରୋଣ ପାଶେ ଗଲ ଯେବେ କୁରୁପଣ୍ଡୁ ସୁତ ସର୍ବେ

ବଂଶ ଅଭିମାନେ କଲେ ଯେତେକ ଭର୍ତ୍ସନା

ନୈରାଶ୍ୟେ ଫେରିଲ ତହୁଁ ହୋଇ କ୍ଷୁବ୍‌ଧ ମନା ।। ୨ ।।

ଟଳି ନାହିଁ ଧଇର୍ଯ୍ୟ ତୁମ୍ଭର

ନିର୍ମାଣିଲ ପ୍ରତିମୂର୍ତ୍ତି ଗୁରୁ ପଦ ହୃଦେ ଚିନ୍ତି

ଆରମ୍ଭିଲ ଅସ୍ତ୍ର ଶିକ୍ଷା ନିଷାଦ—କୁମର !

ଶିକ୍ଷାଗାର ହେଲା ଶେଷେ ଉନ୍ମୁକ୍ତ ପ୍ରାନ୍ତର ।। ୩ ।।

ଅଭ୍ୟାସିଲ ଚିତ୍ତେ ଏକାଗ୍ରତା

ନୀରବ ସାଧନା ବଳେ ଅସାଧ୍ୟ ସାଧିଲ ହେଳେ

କ୍ଷତ୍ରିୟର ତେଜ ତହିଁ ଲଭିଲା କ୍ଷୀଣତା

କୌରବ ପାଣ୍ଡବ ଲାଜେ ନତ କଲେ ମଥା ।। ୪ ।।

ଏକଲବ୍ୟ ! ତୁମେ ମହୀୟାନ

ସ୍ୱହସ୍ତେ ସାଧିଲ କର୍ମ ଅନୁସରି ନିଜ ଧର୍ମ

ଖଡ଼୍‌ଗେ ଛେଦି କଲ ପୁଣି ଅଙ୍ଗୁଷ୍ଠି ପ୍ରଦାନ

କରିବାକୁ ଗୁରୁଦେବ ଅଭୀଷ୍ଟ ପୂରଣ ।। ୫ ।।

ନୁହ କି ହେ ତୁମେ ପୌତ୍ତଳିକ ?

ପିତୁଳାର ଉପାସନା ଅଟେ ନିକି ବିଡ଼ମ୍ୱନା

ଉଚ୍ଚସ୍ୱରେ ଘୋଷେ ଆଜି ସଭ୍ୟତା-ଯାନ୍ତ୍ରିକ

ବିଜ୍ଞାନ ଜଗତ କହେ ଏ ସବୁ ଅଳୀକ ।। ୬।।

ବ୍ରହ୍ମ ସେତ ଅଟେ ବୃହତ୍ତମ

ସୀମିତ ମାନସ ମୋର କାହିଁ ହେବ ତା ଆଧାର

ପ୍ରକୃତିର ରୂପ ସହ କରେଁ ତାକୁ ସମ

ପ୍ରତିକୃତି କଳ୍ପିଥାଏଁ ଚିନ୍ତି ପ୍ରିୟତମ ।। ୭ ।।

ଦେବାଳୟେ କରି ମୁଁ ସ୍ଥାପନ,

ରୂପ ଦେଇ ଅରୂପରେ ଧ୍ୟାନ କରେଁ କ୍ଷୁଦ୍ରତରେ

କରିବାକୁ ହୃଦୟରେ ପଶୁତ୍ୱ ତାଡ଼ନା

ଶୂନ୍ୟ ପୂଜା କେବେ ହେଲେ ନ କରେ ଛଳନା ।। ୮।।

ରହୁ ମୋର ଅତୁଟ ବିଶ୍ୱାସ

ହେଉ ପଛେ ଆଖ୍ୟାୟିକା ନେବି ତହୁଁ ମହାଶିକ୍ଷା

ଜଟିଳ ଜଗତେ ଯଦି ପାଇବି ଆଶ୍ୱାସ

ତା ହୁତାଶେ ନ ତେଜିବି ଆଉ ଦୀର୍ଘଶ୍ୱାସ ।। ୯।।

☆☆☆

 

ଦାନବ୍ରତ କର୍ଣ୍ଣ

 

ଅପସରି ଯାଏ ଯେବେ ତମିସ୍ରା ରଜନୀ

ଚକ୍ରବାଳେ ଫୁଟି ଉଠେ ଆରକ୍ତ ବରଣ,

ପ୍ରସ୍ଫୁଟିତ ସଦ୍ୟ-ପୁଷ୍ପ ବାସ ଅପହରି

ବହି ଆସେ ପ୍ରଭାତର ଧୀର ସମୀରଣ ।୧।

ଜାଗ୍ରତ ଧରଣୀବାସୀ, ଜାଗ୍ରତ ପ୍ରକୃତି,

ବିହଙ୍ଗମ ଗାଏ ଅବା ପ୍ରଭାତ ସଙ୍ଗୀତ,

ନିଦ୍ରା ଅନ୍ତେ ସୁଖ-ଦୁଃଖ-ବିସ୍ମୃତ ମାନବ

ଭବିଷ୍ୟତ ଆଶା ବାନ୍ଧି ହୁଏ ପୁଲକିତ ।୨।

ନ ଜାଣେ ସେ ଆଶା ପଛେ ରହିଛି ନୈରାଶ୍ୟ

ସୁଖପରେ, ଦୁଃଖ ଆସେ ନିତ୍ୟ ଆବର୍ତ୍ତନେ,

ବୃକ୍ଷରୁ କୁସୁମ କେତେ ଝଡ଼େ ପ୍ରତିଦିନ,

ଆଶାବାଦୀ ଭାସିଯାଏ ମଧୁର ସ୍ୱପନେ ।୩।

ଦାନବ୍ରତ କର୍ଣ୍ଣ ଯେବେ ପ୍ରାତଃକୃତ୍ୟ ଶେଷେ

ମଣ୍ଡିଥିଲେ ସ-ଗୌରବେ ଅଙ୍ଗ ସିଂହାସନ,

ଖେଳିଗଲା ନାନଭାବ ମାନସେ ତାଙ୍କର

ସୁତ କମନୀୟ କାନ୍ତି କରି ବିଲୋକନ ।୪।

ସୂର୍ଯ୍ୟ ତେଜେ କୁନ୍ତୀ ଗର୍ଭୁ ଉତ୍ପତ୍ତି ଯାହାର

ସୂତ ପୁତ୍ର ଆଖ୍ୟା ଅଟେ କେବଳ କଳଙ୍କ

ବଂଶ ଆଭିଜାତ୍ୟେ ତାହା ଶାଣିତ କୁଠାର

ବିଶ୍ୱକେ୍‌ସନ ହେବନିକି ଚନ୍ଦ୍ର ନିଷ୍କଳଙ୍କ,

ବୀର ସିନା କରିପାରେ କାର୍ମୁକ-ଟଙ୍କାରେ

ଅଗଣିତ ନରନାରୀ ବିନାଶ ସାଧନ

ଶଶର ବିଷାଣ ସୃଷ୍ଟି କାହିଁ ତାର ଶକ୍ତି

କାହିଁ ତା ସାମର୍ଥ୍ୟ ଦେବ ବନ୍ଧ୍ୟାରେ ସନ୍ତାନ,

ଈକ୍ଷଣତା ପତନେ ଯା’ର ସୃଷ୍ଟିର ପ୍ରକାଶ

ଏକତ୍ୱରୁ ବହୁଇଚ୍ଛା କରି ଲୀଳାମୟ

ମାନବର ମନେ ଦେଲେ ସନ୍ତାନ କାମନା

ଦେଖିବାକୁ ଏ ପ୍ରପଞ୍ଚ ଚିର ପ୍ରେମମୟ

ଓଁକାର ପ୍ରଣବ ଧ୍ୱନି ଶୁଭେ ଘନ ଘନ

ରାଜଦ୍ୱାରେ ଉଭା ଏକ ଭିକ୍ଷୁକ ବ୍ରାହ୍ମଣ

‘‘କି ଦେଇ ପୂଜିବ କହ, ଅତିଥି, ଦେବତା ।’’

ଛନ୍ନ ମନେ ସମ୍ୱୋଧିଲେ ଦାନବ୍ରତ କର୍ଣ୍ଣ ।

ନବାଗତ ସମ୍ଭାଷିଲେ, ଜାଗ୍ରତ ମୋ ମନେ

କରିବାକୁ ନରମାଂସ ଏକାନ୍ତ ଭକ୍ଷଣ;

କେ ସମର୍ଥ ପୁରାଇବ ବୀଭତ୍ସ କାମନା ?

କରିବ କି ପୁତ୍ର ମାଂସ ସ୍ୱହସ୍ତେ ରନ୍ଧନ ?

ନୀରବ ନିଷ୍ପନ୍ଦ ରହି କ୍ଷଣମାଳ ମାତ୍ର

କୋମଳ ହୃଦୟ କରି ବ୍ରଜରୁ କଠୋର ।

ଏକମାତ୍ର ଆତ୍ମଜର ଶିରଚ୍ଛେଦ କରି

ସମର୍ପିଲେ ଭକ୍ଷ୍ୟ ଭୋଜ୍ୟ ବ୍ୟଞ୍ଜନ ସମ୍ଭାର,

ବିଚାରିଲେ ନାହିଁ ମନେ କିଏ ଦାନ-ପାତ୍ର ?

କର୍ମଭୀରୁ, ଧୂର୍ତ୍ତ ଅବା ଶଠ ପ୍ରବଞ୍ଚକ

ଅର୍ପିଦେଲେ ପ୍ରିୟ ପୁତ୍ର ନିଷ୍କାମ ମାନସେ

ପୁତ୍ର ହୀନେ ହେଉ ପଛେ ନିବାସ ନରକ,

ଦାନ ଶେଷେ କର୍ଣ୍ଣ ଯହିଁ କରେ ପ୍ରଣିପାତ

ନିସ୍ତରିଲି ନିସ୍ତରିଲି, ବଚନ ଉଚ୍ଚାରି,

କି ଆଶ୍ଚର୍ଯ୍ୟ ! ଦେଖେ ତହିଁ ଗଳଦଶ୍ରୁ କର୍ଣ୍ଣ

ବିଶ୍ୱକେସନ ସହ ଉଭା ଭିକ୍ଷୁ ବ୍ରହ୍ମଚାରୀ ।

☆☆☆

 

ଗଜେନ୍ଦ୍ରେ–ମୋକ୍ଷଣ

 

ଗଜେନ୍ଦ୍ର !

 

ପୂଜ୍ୟ-ପୂଜା ବ୍ୟତିକ୍ରମ ଫଳେ

ଲଭିଲ ଯେ ଶାପ ଦୁର୍ବିସହ

ଜନ୍ମାନ୍ତରେ ବହିଅଛ ଏବେ

ଦନ୍ତାବଳ ଗଜେନ୍ଦ୍ର ବିଗ୍ରହ ।୧।

ପଶୁକୀଟ ପତଙ୍ଗର ଜନ୍ମ

ଉଦ୍ଦିଷ୍ଟ ତା ଦୁଷ୍କୃତି ବିନାଶ,

ଭଲ ମନ୍ଦ କର୍ମ କର ଯାହା

ପାପ ପୁଣ୍ୟ ନ ଛୁଇଁବ ଲେଶ ।୨।

ପଶୁ ପ୍ରାଣେ ନିହିତ ପ୍ରବୃତ୍ତ

ନିଦ୍ରାହାର ଭୟ ବା ମୈଥୁନ

ପାପ ପୁଣ୍ୟ ଚିନ୍ତା ବିରହିତ

ସାର ଏକା ପ୍ରବୃତ୍ତି-ତୋଷଣ ।୩।

ବନ ଭୂମେ ନିର୍ଭେୟେ ଭ୍ରମିଲ

ସଙ୍ଗେ ଘେନି କରିଣୀର ପଲ

ତିଳେ ତହିଁ ନ ତିଲା ଶୋଚନା

ବନ୍ୟଜନ୍ତୁ ଯେତେ ବିଧ୍ୱଂସିଲ ।୪।

ବନପଥେ ଭ୍ରମଣର ବେଳେ

ବୈଶାଖର ଖର ସୂର୍ଯ୍ୟକର

କରେ ଅବା ଅଗ୍ନି ବରଷଣ

ବ୍ୟାକୁଳିତ ଯେତେ ଚରାଚର ।୫।

ପଥ-ଶ୍ରାନ୍ତି ପ୍ରଚଣ୍ଡ ଉତ୍ତାପ

ଲଭିହେଲ ତୃଷାରେ ବ୍ୟାକୁଳ

ଇତଃସ୍ତତ ଅନ୍ୱେଷିଲ ଖାଲି

କାହିଁ ଅଛି ସ୍ୱାଦୁ ଶୀତ ଜଳ ।୬।

ସରୋବର ଦେଖିଲ ଅନ୍ତିକେ

ପରିପୂର୍ଣ୍ଣ ସ୍ୱଚ୍ଛ ପୂତ ନୀର

ଦିଶେ ତାହା କେନେ ମନୋହର

ପ୍ରସ୍ଫୁଟିତ କୁମୁଦ କହ୍ଲାର ।୭।

ଆମୋଦିତ କୁସୁମ ସୌରଭେ

ଅଳି କରେ ମଧୁର ଗୁଞ୍ଜନ

ଜଳେ ହୁଏ ହିଲ୍ଲୋଳର ସୃଷ୍ଟି

ବହେ ଯେବେ ଧୀର ସମୀରଣ ।୮।

ତୃଷାତୁର ତୁମେ ହେ ଗଜେନ୍ଦ୍ର !

ପ୍ରବେଶିଲ ଜଳେ ତତକ୍ଷଣ,

ଗଜମୂର୍ଖ ନାମ ସାର୍ଥକଲ,

କରନ୍ତି କି ଲୋଭ ସମ୍ୱରଣ ?

ବିଚିତ୍ର ଏ ସୃଷ୍ଟିର କୌଟିଲ୍ୟ

ପୁଷ୍ପେ ରହେ କୀଟ ବିଷଧର

ତୁମେ ଅବା ବୁଝିବ କେମନ୍ତେ

ଭ୍ରାନ୍ତହେବେ ବିପଶ୍ଚିତ ନର ।୧୦।

ସରୋବରେ ନକ୍ରର ନିବାସ

ଅଭିଶପ୍ତ ଜୀବନ ତାହାର

ଅତର୍କିତେ ପ୍ରବେଶିଲ ତୁମେ

ଆକ୍ରମିଲା ଚରଣ ତୁମ୍ଭର ।୧୧।

ମୁକ୍ତି ଆଶେ କୁମ୍ଭୀର କବଳୁଁ

ନିୟୋଜିଲ ଶକ୍ତିର କୌଶଳ

ଅକଳନ କାଳ ଗଲା କଟି

ଦିନୁଁ ଦିନ ହେଲ କ୍ଷୀଣ ବଳ ।୧୨।

ଆତ୍ମବଳେ ନାହିଁ ଆଉ ଆସ୍ଥା

ସମ୍ମୁଖରେ ମୃତ୍ୟୁ ବିଭୀଷିକା ।

ପଳାୟିତ ଆତ୍ମୀୟ ସ୍ୱଜନ

ଅବଶେଷେ ତୁମ୍ଭେ ଅଛ ଏକା ।୧୩।

ଭାବୁଥିଲ ଭାଗ୍ୟ ବିପର୍ଯ୍ୟୟେ

ହେବେ ସର୍ବେ ତୁମରି ସହାୟ

କି ନିର୍ବୋଧ, ନ ବୁଝିଲ ତୁମେ

ପରାର୍ଥେ କେ କରେ ପ୍ରାଣକ୍ଷୟ ।୧୪।

ଚତୁର୍ଦ୍ଦିଗେ ନିରେଖି ଚାହିଁଲ

ପାଶେ ନାହିଁ ଆଉ କେହି ସଖା

ଅଶରଣ-ଶରଣ ବାନ୍ଧବ

ଚିନ୍ତିଥିଲ-ପାଇବାକୁ ଦେଖା ।୧୫।

ଜାଣ ନାହିଁ ବେଦ ଶାସ୍ତ୍ର ତୁମ୍ଭେ

ମନ୍ତ୍ର ଯନ୍ତ୍ର ତପସ୍ୟା ସାଧନ

କି ଭାଷାରେ ଡାକିଲ, ଗଜେନ୍ଦ୍ର,

ଛନ୍ନ ହେଲେ ଦେବ ଆର୍ତ୍ତତ୍ରାଣ ।୧୬।

ଖଗପତି ଗତି ଆରମ୍ଭିଲେ

ହସ୍ତେ ଧରି ଚକ୍ର ସୁଦର୍ଶନ

କୁମ୍ଭୀରର ଶିରଚ୍ଛେଦ କଲେ

ନାମ ହେଲା ଗଜ ଉଦ୍ଧାରଣ ।୧୭।

ଅଜାମିଳ ଆସନ୍ନ ମରଣେ

ଡାକିଲା ହେ ପୁତ୍ର-ନାରାୟଣ’

ମୃଗ-ବଧୂ ସ୍ତୁତି ଶ୍ରବଣରେ

ହେଲେ ସେହୁ ଉତ୍କର୍ଣ୍ଣ, ଉଚ୍ଛନ୍ନ ।୧୮।

ଡାକେଁ ମୁହିଁ କେତେ ପ୍ରତିଦିନ

କରେଁ ଅବା ଅଶ୍ରୁ ବରଷଣ ।

ନ ଶୁଭେ କି ଶ୍ରବଣେ ତାଙ୍କର

ବିଧିର, କି ପ୍ରଭୁ ଜନାର୍ଦ୍ଦନ ।୧୯।

‘ହରେକୃଷ୍ଣ, ‘ହରେରାମ’ ଜପି

ବାଏଁ କେତେ ଖୋଳ କରତାଳ

ପରିଚ୍ଛଦ ଗୈରିକ ବସନ

ଚନ୍ଦନରେ ଶୋହେ ମୋ କପାଳ ।୨୦।

ସତେ କିବା ଏ ସବୁ ଛଳନା

ଶ୍ରୁତିହୀନ ଅବା ନାରାୟଣ,

ଶିଖିବି କି ସରଳ ବିଶ୍ୱାସ

ଯହିଁ ମିଳେ ଅଭୟ ଚରଣ ।୨୧।

ଶବ୍ଦ-ଅର୍ଥ ଉଚ୍ଚାରଣ କରିବି

ନ କରିବ ଛଳ ଆଚରଣ

ଶିଖାଇବ ଗଜେନ୍ଦ୍ର, ସେ ପନ୍ଥା

କରିବି ମୁଁ ଆତ୍ମ-ନିବେଦନ ।୨୨।

☆☆☆

 

ପାଣ୍ଡବ ଦୂତ

 

ଚାର ମୁଖଁ ବାର୍ତ୍ତା ଶୁଣି ପୌର ବାସୀ ଜନ

ପାଣ୍ଡବର ସଖା କୃଷ୍ଣ ହସ୍ତୀନା-ପ୍ରବେଶ

ଆନନ୍ଦ ସାଗରେ କଲେ ଚିତ୍ତ ନିମଜ୍ଜନ

ତୋରଣରେ ମଣ୍ଡି ଦେଲେ ନିଜ ନଗ୍ର ଦେଶ ।୧।

କୃଷ୍ଣ ନାମ ଆକର୍ଷିଲା ହୃଦୟ ତାଙ୍କର

ନିଜନିଜ ଭାବ ଘେନି ବିଚାରିରେ ମନେ

କେ ଚିନ୍ତଇ ଭବାର୍ଣ୍ଣବୁ ହୋଇବ ଉଦ୍ଧାର

କୃଷ୍ଣ ରୂପ ନିରେଖିବ ପ୍ରେମର ଲୋକନେ ।୨।

ଦରିଦ୍ର କେ ବିଚାରିଲା ଦେବ ଖୁଦ ଭଜା

ବିନିମୟେ ପାଇବ କି ଐଶ୍ୱର୍ଯ୍ୟ ସମ୍ଭାର

ଚକ୍ଷୁହୀନ ଖୋଜେ ତା’ର ପୁତ୍ର ଗଲା କାହିଁ

ବାଳ ଖେଳେ ଫେରାଇବ ଲୋଚନ ତାହାର ।୩।

ଗୋପାଳୁଣୀ ବିଚାରଇ ଦୁଗ୍‌ଧ ନାହିଁ ଘରେ

ଅତର୍କିତେ ବତ୍ସା ଆଜି ଯାଇଅଛି ପିଇ

ହାୟ କେଡ଼େ ମନ୍ଦ କର୍ମ ! ନବ ନୀତ ନାହିଁ

ନନ୍ଦନ ନନ୍ଦନ ଆଉ ଆସିବେ କି ପାଇଁ ।୪ ।

ଦ୍ୱିଜ-ପତ୍ନୀ ଭାବେ ଯେହୁ ଦ୍ୱାରକା-ନରେଶ

ଅତୁଳ ସମ୍ପଦ ଆଜି ତା’ର ଅଧିକାର

ଉଦର ପୂରଣେ ଆଉ ନ ଥିବ ଭାବନା

ଅନ୍ନ ଆଶେ ଆଉ କିପାଁ ଆସିବେ ତା’ଦ୍ୱାର ।୫।

ତୁଣ୍ଡ ବାଦ୍ୟ ରହେ ନାହିଁ ସୀମିତ ଆଧାରେ

ବିଦୁର ଶ୍ରବଣେ ଯାଇ ହେଲା ମୁଖରିତ

ଶରୀରେ ରୋମାଞ୍ଚ ଜାତ ନେତ୍ରୁ ବହେ ନୀର

ପ୍ରେମ ଗଦଗଦେ ଚିତ୍ତ ହେଲା ପୁଲକିତ ।୬।

ବିଦୁର ବିଚାରେ କାହିଁ ମୋ ବଂଶ ଗୌରବ

ନିଃସ୍ୱ ମୁଁ ହିଁ ଯାପେ ସଦା ଦରିଦ୍ର ଜୀବନ

କି ଦେଇ ବୂଜିବି ମୁଁ ହିଁ ବସୁଦେବ ସୁତେ

ଷଡ଼ୈଶ୍ୱର୍ଯ୍ୟ ଶାଳୀ ଯେଉଁ କୃଷ୍ଣ ଭଗବାନ ।୭।

ଧୃତରାଷ୍ଟ୍ର ଜନ୍ମ-ଅନ୍ଧ ବିଚାରଇ ମନେ

ବୁଦ୍ଧି ଯେଣୁଁ ହୀନଠାରୁ ଅଟେ ହୀନତର

ଧନରତ୍ନେ ବଶୀଭୂତ କରିବ ଶ୍ରୀକୃଷ୍ଣେ

ଚତୁର୍ଗୁଣେ ଦେଇ ତାଙ୍କୁ ଦ୍ରବ୍ୟ-ଉପହାର ।୮।

ଦୁର୍ଯ୍ୟୋଧନ ପାଞ୍ଚୁଅଛି କେତେ କୂଟପାଞ୍ଚ

କର୍ଣ୍ଣ ଦୁଃଶାସନ ଯା’ର ଅଛନ୍ତି ସହାୟ

କୃଷ୍ଣ ଯେବେ ଏକା ଆସେ ବନ୍ଦୀ କରି ତାକୁ

ଅର୍ଜୁନର ପରାଭବୁଁ ହୋଇବ ନିର୍ଭୟ ।୯।

ଚକ୍ଷୁ ଯାର ବ୍ୟାଧିଗ୍ରସ୍ତ କାମଳ ରୋଗରେ

ଶୁକ୍ଳ ବର୍ଣ୍ଣେ ଦେଖିବ ସେ ହରିଦ୍ରାର ଆଭା

ମନ ଯା’ର ପାପଗ୍ରସ୍ତ ପରସ୍ୱ ଲୁଣ୍ଠନେ

ପ୍ରକଟିବ ନାହିଁ ହୃଦେ ଶାଶ୍ୱତ ପ୍ରତିଭା ।୧୦

ପିତାମହ ଭୀଷ୍ମ ଶୁଣି ନିର୍ବୋଧ ମନ୍ତ୍ରଣା

ଦୁର୍ଯ୍ୟୋଧନେ ପ୍ରବୋଧିଲେ କହି ସାଧୁଭାଷ,

ମତ୍ତଗଜେ ବାନ୍ଧିବାକୁ ମୃଣାଳର ସୂତ୍ରେ

ଆତ୍ମଗର୍ବେ କର କିପାଁ ବୃଥା ଦୁଃସାହସ ।୧୧।

ଦୃଷ୍ଟିମାତ୍ରେ କରେ ଯେହୁ ବ୍ରହ୍ମାଣ୍ଡର ସୃଷ୍ଟି

ମାୟାରେ ଧରଇ ସିନା ମାନବ ଶରୀର

ଲୀଳାମୟ କରଇ ସେ ଲୀଳାର ପ୍ରକାଶ

ଶାନ୍ତି ଉପଚାରରେ କୃପା ଭିକ୍ଷାକର ।୧୨।

ରାଜ ଦୂତ ବଧ୍ୟନୁହେ ନିନ୍ଦନୀୟ,

ଯଥାବିଧି ସମ୍ମାନର ଅଟେ ଅଧିକାରୀ

ବିସ୍ମରିବ ନାହିଁ ମୋର ସାମାନ୍ୟ କଥନ

କହି ତହୁଁ ଦେବବ୍ରତ ଗଲେ ଅପସରି ।୧୩।

ବଧିର କରିବ ନାହିଁ ସଙ୍ଗୀତ ଶ୍ରବଣ

ବୁଝେ ନାହିଁ ଅନ୍ଧ ଯଥା ଆଲୋକ ମହତ୍ତ୍ୱ

ସନ୍ନିପାତ ରୋଗୀ କେବେ ଲୋଡ଼େ କି ଔଷଧ

ସର୍ପଦ୍ରଂଷ୍ଟ ନର ପକ୍ଷେ ଶର୍କରାହିଁ ତିକ୍ତ ।୧୪।

ଭୀଷ୍ମ ଉପଦେଶ ଯହୁଁ ହୋଇଲା ନିସ୍ଫଳ

ସଶଂକିତେ ଧୃତରାଷ୍ଟ୍ର କହେ ଦୁର୍ଯ୍ୟୋଧନେ

କୃଷ୍ଣରେ ବିରୋଧ ନୁହେ ସୁନ୍ଦର ବେଭାର

ବାହୁଡ଼ାଅ ଶାନ୍ତଭାବେ ବ୍ୟାଜ ଆଚରଣେ ।୧୫।

ଦୁର୍ଯ୍ୟୋଧନ ବିଚାରଇ ଶକୁନି ସହିତ

କୃଷ୍ଣ କିବା ଛାର ସେତ ଗୋପାଳ ନନ୍ଦନ

ପାଣ୍ଡବେ ସହାୟ ହେଲେ କି କରିବ ମୋର

ସୂଚ୍ୟଗ୍ର ମେଦିନୀ ଦେବି ନାହିଁ ବିନାରଣ ।୧୬।

ମଣ୍ଡାଇଲା ରାଜସଭା ମହା ଆଡ଼ମ୍ୱରେ

ସ୍ୱର୍ଣ୍ଣ ରୌପ୍ୟ ମଣିମୁକ୍ତା ଖଚିତ ମଣ୍ଡପ

ଚତୁଃପାର୍ଶ୍ୱେ ଖଞ୍ଜାଇଲା ବୈଦୁର୍ଯ୍ୟ ପ୍ରବାଳ

ଊର୍ଦ୍ଧ୍ୱଦେଶେ ଶୋଭୁଥିଲା ଦିବ୍ୟ ଚନ୍ଦ୍ରାତପ ।୧୭।

ମନୋରମ ତହିଁ ମଧ୍ୟେ ରତ୍ନ ସିଂହାସନ

ଝଟକଇ ମେଘେ ଅବା ବିଦ୍ୟୁତ୍‌ ସମାନ

ଅଜ୍ଞାନ ତମସାଚ୍ଛନ୍ନ ରାଜସ ପିହିତ

କଳ୍ପଇ ଐଶ୍ୱର୍ଯ୍ୟେ ନେବ ମୋହି କୃଷ୍ଣ ମନ ।୧୮।

ପାଣ୍ଡବର ଦୌତ୍ୟ ଛଳେ ଜଗତ ନିବାସ

ରଥ ବରେ ପ୍ରବେଶିଲେ କୁରୁସଭା ସ୍ଥଳେ

କର୍ଣ୍ଣ ଦୁଃଶାସନ ଆସି ପାଛୋଟିଣ ନେଲେ

ଆସନ ତ୍ୟଜିଲେ ଯେତେ ପାରିଷଦ ଥିଲେ ।୧୯।

ଅହମିକା ଅଧ୍ୟୁଷିତ ଯେ ମାନଗୋବିନ୍ଦ

କେମନ୍ତେ ବା ଦେଖାଇବ ଦୂତରେ ସମ୍ମାନ

କପଟରେ ହସି ହସି ଅଙ୍ଗୁଳି ନିର୍ଦ୍ଦେଶେ

ଇଙ୍ଗିତରେ ଦେଖାଇଲା କୃଷ୍ଣଙ୍କୁ ଆସନ ।୨୦ ।

ସଶ୍ରଦ୍ଧେ ଭାଷିଲେ କୃଷ୍ଣ ସହାସ ବଦନେ

‘‘ସାଙ୍ଗ ହେଲା ପାଣ୍ଡବଙ୍କ ବନବାସ କାଳ

ବିରାଟ ନଗରେ ବହୁକଷ୍ଟେ କଟାଇଲ

ଅଜ୍ଞାତ ବାସର ପାଇଁ ଏକ ସମ୍ୱତ୍ସର ।୨୧।

ଦ୍ୟୁତ ଛଳେ ରାଜ୍ୟ ତାଙ୍କ ନେଇ ଅପହରି

ବାହୁଡ଼ାଇ କର ଏବେ ପ୍ରତି ଆଚରଣ,

ଦୃଢ଼ ହେବ ବନ୍ଧୁଭାବ ପରସ୍ପର ମଧ୍ୟେ

ଅସମ୍ଭବ ନୁହେଁ କେବେ ସହ ଅବସ୍ଥାନ ।୨୨।

ବିଶ୍ୱର ସୃଜନ କେବେ ଏକ ପାଇଁ ନୁହେ

ଭବଭୂମେ ରହେ ନାହିଁ କେହି ବା ଅମର

ପରାର୍ଥେ ଉତ୍ସର୍ଗ ସିନା ଜୀବନ ମହତ୍ତ୍ୱ

ଲିଭେ ନାହିଁ କାଳ ବକ୍ଷୁ ସୁକର୍ମ କେବଳ ।୨୩।

ଅକାରଣ ଲୋକ କ୍ଷୟ ବୃଥା ରକ୍ତପାତ

ନୁହେ କେବେ ଜଗତର ମଙ୍ଗଳ କାରଣ

ଅସିବଳେ ରାଜ୍ୟ ରକ୍ଷା ନୁହେ ବାଞ୍ଛନୀୟ

ଅହିଂସା ପ୍ରେମର ମନ୍ତ୍ର ତହୁଁ ବଡ଼ଟାଣ ।୨୪।

କୌରବ ସାମାଜ୍ର୍ୟେ ତୁମେ ଏକ ଛତ୍ରଧାରୀ

ସ୍ୱଧର୍ମ ପାଳିବ କରି ପ୍ରକୃତି ରଞ୍ଜନ,

ଦିଅ ଅବା ପଞ୍ଚ ଗ୍ରାମ ପଞ୍ଚପାଣ୍ଡବଙ୍କୁ

ଯେମନ୍ତେ ହୋଇବ ତାଙ୍କ ଉଦର ପୋଷଣ ।୨୫।

ଅସମର୍ଥ ମୁଖେ ଶୋହେ ଅଂହିସା ପ୍ରଚାର

ପ୍ରତିଯୋଗୀ କ୍ଷେତ୍ରେ କାହିଁ ଦୁର୍ବଳର ସ୍ଥାନ,

ଶତ୍ରୁ ହସ୍ତେ କରିବ କେ ଆତ୍ମ ସମର୍ପଣ

କେଶରୀର ମୁଖେ କ୍ଷୁଦ୍ର ଇନ୍ଦୁର ସମାନ ।୨୬।

ନୁହେ ଭୀରୁ, କାପୁରୁଷ, ନୁହେଁ ମୁଁ ନିଷ୍କ୍ରିୟ,

ବିନା ଯୁଦ୍ଧେ ନ କରିବି ରାଜ୍ୟ ସମର୍ପଣ

ବହଇ ମୋ ଧମନୀରେ କ୍ଷତ୍ରିୟ ଶୋଣିତ

ଉପହାସ କରି କହେ ରାଜା ଦୁର୍ଯ୍ୟୋଧନ ।୨୭।

ବିନା ବାକ୍ୟ ବ୍ୟୟେ ତହୁଁ ଉଠିଲେ ଗୋବିନ୍ଦ

ଦୁର୍ଜନର ସଙ୍ଗ ଯେଣୁଁ ବର୍ଜନ ଉଚିତ

କପଟ ସୋହାଗ ମିଶା ବଚନ ଉଚ୍ଚାରି

ଯଦୁନାଥେ ଦୁର୍ଯ୍ୟୋଧନ କରେ ନିମନ୍ତ୍ରିତ ।୨୮।

ଦେବ ଭୋଗ୍ୟ ସମ୍ଭାର ମୁଁ କରିଛି ଯୋଗାଡ଼

ରାଜଗୃହେ କରିବାକୁ ତବ ଅଭ୍ୟର୍ଥନା

ଅଗଣିତ ଦାସ ଦାସୀ ହେବେ ସେବାରତ

ଯଥାବିଧ ପରିଚର୍ଯ୍ୟା ହେବନାହିଁ ଊଣା ।୨୯।

ଶୁଣି ନ ଶୁଣିଲା ପରି ପ୍ରଭୁ ଗଲେ ଚଳି

ବିଦୁରର ଦ୍ୱାର ଦେଶେ ହେଲେ ଉପନୀତ

କୁଟୀର ପ୍ରାଙ୍ଗଣେ ଦେଖି ଦରିଦ୍ର-ବାନ୍ଧବ

ହୁଅନ୍ତି ବିଦୂର ଭାବାବେଶେ ଉଲ୍ଲସିତ ।୩୦।

ଶୁଦ୍ଧ-ନୀରେ ପଖାଳିଲେ ଚରଣ ଯୁଗଳ

କାଷ୍ଠାସନେ ସଜାଡ଼ିଲେ ଆସନ ପ୍ରଭୁର

ଭୋଜନ ସାମଗ୍ରୀ ଅବା ଭିଆଇବେ କାହିଁ

ରମ୍ଭା ଫଳ ଅଣାଇଲେ ପବିତ୍ର ମନର ।୩୧।

ଭାଗବତ ପ୍ରେମେ ଯେହୁ ବାହ୍ୟଜ୍ଞାନଶୂନ୍ୟ

କଦଳୀ ଫିଙ୍ଗିଲେ ତଳେ ଦେଲେ ଆବରଣ

ଭକ୍ତର ବାନ୍ଧବ ପ୍ରଭୁ ଭାବଗ୍ରାହୀ ସିନା

ହର୍ଷଭରେ କଲେ ତାକୁ ଉଦରେ କ୍ଷେପଣ ।୩୨ ।

ହୁଅଇ ମୋହର ଈର୍ଷା ବିଦୁର ! ତୁମକୁ

ଆତ୍ମଗ୍ଲାନି କର ସିନା ଦାସୀ ପୁତ୍ର ଭାଳି ।

କଣିକାଏ ଭକ୍ତି ମୋତେ ଦେବ କି ବିଦୁର !

ସନ୍ନିକଟ ହେବି ଯହିଁ ଛନ୍ତି ବନମାଳି ।୩୩।

☆☆☆

 

ଶକୁନି

 

କି କୁଗ୍ରହେ ଜନ୍ମିଲି ଶକୁନି

ତବ ନାମେ କେତେ ଅପଖ୍ୟାତି

ଯୁଗ ଯୁଗ ଯାଇଅଛି ବହି

ଅଦ୍ୟାପି ତା ଜାଗେ ଜନସ୍ମୃତି ।।୧

ଗ୍ରାମାଞ୍ଚଳେ କଳି ହୁଏ ସୃଷ୍ଟି

ଲାଗେ ତହିଁ କେତେ ଅନ୍ୱେଷଣ

ଶକୁନିର ଭୂମିକାରେ କେହୁ—

ରଙ୍ଗ ମଞ୍ଚେ ହେଲା ଅବତୀର୍ଣ୍ଣ ।।୨

ସଭାସ୍ଥଳେ ଦ୍ୱିତୀୟ ପାଣ୍ଡବ

ସମ୍ୱୋଧିଲେ ‘‘ଗୋଲୋକ-ନନ୍ଦନ’’

ବିଚାରିଲେ ନିଜକୁ ଲାଞ୍ଛିତ

ଅତିମାନେ ମାନୀ ଦୁର୍ଯ୍ୟୋଧନ ।।୩

ବିଚିତ୍ର ସେ ରାଜ୍ୟ ବୁଝାମଣା

ତୁମ୍ଭ ପିତା ହେଲେ ଅପରାଧୀ

ପ୍ରସ୍ତରର ବେଷ୍ଟନୀ ମଧ୍ୟରେ

ପିତା ପୁତ୍ର ସର୍ବେ ହେଲେ ବନ୍ଦୀ ।।୪

ସାହାଯ୍ୟ ବା କେ ଦେବ ତୁମ୍ଭଙ୍କୁ

ରାଜାଙ୍କର ନିଷ୍ଠୁର ଆଦେଶ

ପିତା ମାତା ବିସର୍ଜିଲେ ପ୍ରାଣ

ତୁମ୍ଭେ ମାତ୍ର ଥିଲ ଅବଶେଷ ।।୫

ଆତ୍ମୀୟର ପ୍ରାଣ ବିନିମୟେ

ଆରମ୍ଭିଲ ନୂତନ ପର୍ଯ୍ୟାୟ

ଅତୀତକୁ ଫିଙ୍ଗି ଦେଇ ଦୂରେ

ଭୁଲିଗଲ ଭାଗ୍ୟ ବିପର୍ଯ୍ୟୟ ।।୬

ଆଚରିଲ କଠୋର ପ୍ରତିଜ୍ଞା

ଶତ୍ରୁ ରକ୍ତେ କରିବ ତର୍ପଣ

ତୃପ୍ତ ହେବ ଜ୍ଞାତି ପରିଜନ

ତିଳେ ତିଳେ ଦେଲେ ଯେହୁ ପ୍ରାଣ ।।୭

ପ୍ରତିଶୋଧ ବହ୍ନି ଶିଖା ଜାଳି

ବହିରଙ୍ଗ ରଖିଲ ଆବୃତ

ହୃଦୟରେ ହଳାହଳ ଭରି

ଉଚ୍ଚାରିଲ ବଚନ ଅମୃତ ।।୮

କି କୌଶଳ ଆଶ୍ରିଲ ଶକୁନି !

ଦୁର୍ଯ୍ୟୋଧନେ କଲ ବଶୀ ଭୂତ

ପଶୁ ଦର୍ପେ ଅଂଧ ହେଲା ସେହୁ

ନ ବୁଝିଲା ତୁମରି ଇଙ୍ଗିତ ।।୯

ନ୍ୟାୟ ଗଲା ଦୂରେ ଅପସରି

ରାଜଧର୍ମ ହେଲା କଳୁଷିତ

ଦ୍ୟୁତ ହେଲା ଯାହାର ସମ୍ୱଳ

ତା ଉଚ୍ଛେଦ ନୁହେ କି ବାଞ୍ଛିତ ।।୧୦

ନାରୀ ଯହିଁ ଲଭେ ନିର୍ଯ୍ୟାତନା

ପ୍ରଜା ପୁଞ୍ଜେ ନ ମିଳେ ଅଭୟ

ରାଜା ଯଦି ପରସ୍ୱ ଭକ୍ଷକ

ତା ବିଲୋପ ନୁହେ ନିନ୍ଦନୀୟ ।।୧୧

ଶତ୍ରୁ ପଦେ କା ପୁରୁଷ ସିନା

କରେ ତା’ର ଆତ୍ମ ବିସର୍ଜନ

ଅଂହିସା ତା ବୋଲାଇବ କାହିଁ

କ୍ଲୀବତ୍ୱର ଜ୍ୱଳନ୍ତ ପ୍ରମାଣ ।।୧୨

କୂଟନୀତି-ଆଶ୍ରୟୀ ଶକୁନି !

ସାଧିଲ ଯେ କର୍ମ ସମୁଚିତ

ଖଳ ନିନ୍ଦା ହେଉ ପଛେ ଆଜି

ଲକ୍ଷ୍ୟ ତବ ଜଗତର ହିତ ।।୧୩

☆☆☆

 

ଦେବବ୍ରତ

 

କୁରୁକ୍ଷେତ୍ରେ ଲାଗିଛି ସମର

ଦେବ ବ୍ରତ ମହାରଥୀ କୁରୁବଳ ସେନାପତି

ସମ୍ମୁଖରେ ପ୍ରତିପକ୍ଷ ପାର୍ଥ ଧନୁର୍ଦ୍ଧର

ପାଣ୍ଡବ ସାରଥି ସ୍ୱୟଂ ପ୍ରଭୁଚକ୍ରଧର ।।୧

ଆଚରିଲେ ଯେହୁ ଦୃଢ଼ପଣ

ପିତାଙ୍କର ପ୍ରିୟ କାମେ ଅଧିକାର ସିଂହାସନେ

ତୁଚ୍ଛ କରି ଯାପିଲେ ଯେ କୁମାର ଜୀବନ

ପରିହର ସଂସାରର ବିଳାସ ବ୍ୟସନ ।।୨

ଅଭ୍ୟାସିଲେ ବ୍ରହ୍ମଚାରୀ ବ୍ରତ

ବ୍ରହ୍ମତେଜେ ତେଜିୟାନ ମୃତ୍ୟୁ-କଲେ ଇଚ୍ଛାଧୀନ

ଅନୁସରି ଅନୁବ୍ରତ କର୍ମ ଅନାସକ୍ତ

ଅବଶେଷେ ଦୁର୍ଯ୍ୟୋଧନେ ହୋଇଲେ ଆଶ୍ରିତ ।।୩

ଭୀଷ୍ମ ଯେବେ ହେବେ ସେନାପତି

ଦଶ ଅକ୍ଷୌହିଣୀ ସୈନ୍ୟ ସଂହାରିବେ ପ୍ରତିଦିନ

ହେଉ ପଛେ ଶକ୍ତିମନ୍ତ ପାଣ୍ଡବ ଅରାତି

କୁରୁରାଜ ଦୁର୍ଯ୍ୟୋଧନ ଦେଲେ ପ୍ରତିଶ୍ରୁତି ।।୪

ଅତିବାହି ଗଲା ସପ୍ତ ଦିବା

ଅଷ୍ଟମ ଦିବସ ରଣେ ଭୀଷ୍ମ ଦେଖେ ଛନ୍ନ ମନେ

ହ୍ରାସ ହୁଏ ଆତ୍ମଶକ୍ତି, ଦିନାନ୍ତ କି ଅବା !

ସମ୍ଭବିଲା ନାହିଁ ପ୍ରତିପକ୍ଷ ସଂହାରିବା ।।୫

ଭାଜିଯାଏ ଚତୁରଙ୍ଗ ବଳ

କିଏ ହେବ ସହାୟକ ରଖିବ ଭୀଷ୍ମର ଟେକ

ହେବ ନାହିଁ ବାକ୍ୟ ଭଙ୍ଗ, ରହିବ ଅଟଳ

ଅଗତିର ଗତି ଏକା ଏକାଳେ ସମ୍ୱଳ ।।୬

ଆରମ୍ଭିଲେ ମାନସ ପୂଜନ

ଚିତ୍ତେ ସ୍ମରି ନାରାୟଣ ହୃଦେ କଲେ ଆବାହନ

ଆସନ ସ୍ୱାଗତ ପାଦ୍ୟ ଅର୍ଘ୍ୟ ଆଚମନ

ଶୁଦ୍ଧ ମନେ ମଧୁପର୍କ କଲେ ସମର୍ପଣ ।।୭

ମନ୍ଦାକିନୀ ଆଦି ତୀର୍ଥବାରୀ

କଳ୍ପନାରେ ଆହରଣ କରି କରାଇଲେ ସ୍ନାନ

ପିନ୍ଧାଇଲେ ପଟ୍ଟବସ୍ତ୍ର ଚିତ୍ତ ମନୋହରୀ,

ଉଶୀର ଚନ୍ଦନ ଦେଲେ ଦିବ୍ୟ ଅଙ୍ଗେ ବୋଳି ।।୮

ଭାବେ ତହୁଁ ହେଲେ ବିହ୍ୱଳିତ

ମାଳତୀ ଜାତି କୁସୁମ ଭକ୍ତିରେ ଗୁନ୍ଥିଲେ ଦାମ

ଗଳେ ଲମ୍ୱାଇବା ଅର୍ଥେ ହସ୍ତ ଉତ୍ତୋଳିତ

ଭକ୍ତର ସଙ୍ଖାଳି ପ୍ରଭୁ ଶିର କଲେ ନତ ।।୯

ରଣସ୍ଥଳେ ଏ କି ଆଚମ୍ୱିତ ।

ସବ୍ୟ ଶାଚୀ ରଥ ତହୁଁ ଊର୍ଦ୍ଧ୍ୱେ ଚଳେ ଚାହୁଁ ଚାହୁଁ

ରଥ ହୟ ବୁଝିଲେ ତୋ ପ୍ରଭୁର ଇଙ୍ଗିତ

ଶତ୍ରୁ ବଳ ବିଧ୍ୱଂସିଲେ ଭୀଷ୍ମ ଦେବବ୍ରତ ।।୧୦

ଭକ୍ତ ଶ୍ରେଷ୍ଠ କହିବ କି ସତେ

ନାହିଁ ଦ୍ରବ୍ୟ ଉପଚାର ସ୍ୱର୍ଣ୍ଣ ରୌପ୍ୟ ଆଡ଼ମ୍ୱର

ନାହିଁ ସଂକୀର୍ତ୍ତନ ଖୋଳ କରତାଳ ଯନ୍ତ୍ରେ

ଆକର୍ଷିଲ ନାରାୟଣେ କି—ଅବ୍ୟକ୍ତ ମନ୍ତ୍ରେ ।।୧୧

☆☆☆

 

ବାଲ୍ମୀକି

 

ରାମଚନ୍ଦ୍ର-ନିର୍ବାସିତ ସତୀ

ଯେ କାଳରେ ଆସିଲେ ଆଶ୍ରମ

କି ପ୍ରେରଣା ଲଭିଲା ହେ କବି

ବିରଚିଲେ ଗ୍ରନ୍ଥ ଅନୁପମ ।।୧

ଶର ବିଦ୍ଧ ତ୍ରୌଞ୍ଚ ଦର୍ଶନରେ

ଉଠିଲା ଯେ କରୁଣ ମୂର୍ଚ୍ଛନା

ଅନୁଷ୍ଟୁପା ଛନ୍ଦ ହେଲା ତାହା

ବିଶ୍ୱେ ତାର ନ ଥିଲା କଳ୍ପନା ।।୨

ବ୍ରତ ନିଷ୍ଠ ତପଚାରୀ ତୁମେ

ବ୍ରହ୍ମ ପଦେ ରଖି ସଦା ଲୟ

ଚିତ୍ତ ବୃତ୍ତ ନିରୋଧ ରଖିଲ

ଲଭିବାକୁ ସମ୍ପଦ ଅକ୍ଷୟ ।।୩

ସୁଖେ ଦୁଃଖେ ଥିଲା ଉଦାସୀନ

କେମନ୍ତେ ହେ ଆଶ୍ରମ ନିବାସି

ଅନୁଭବ କରିଛ ଅତୁଳ

ମାନବର ସୁଖ ଦୁଃଖ ରାଶି ।।୪

ସୃଷ୍ଟି କଲ ଯେଉଁ ରାମାୟଣ

ନୁହେଁ ତାହା ରଘୁବଂଶ ଗାଥା

ରାଘବେନ୍ଦ୍ର ଇତିବୃତ୍ତି ଛଳେ

ଗୀତି କଲ ଜୀବନର ବ୍ୟଥା ।।୫

କଳ୍ପି ଗଲ ଯେଉଁ ଉପାଖ୍ୟାନ

ଚିତ୍ରିଲ ଯେ ଆଦର୍ଶ ମହାନ

କାବ୍ୟାକାଶ ଜ୍ୟୋତିଷ୍କ ମଣ୍ଡଳେ

ଆଜି ତାହା ଦିବ୍ୟ ବିବସ୍ନାନ ।।୬

ପୃଥିବୀର ଘୂର୍ଣ୍ଣନ ସର୍ବଦା

ଅଂଶୁମାଳୀ ସ୍ତିର ଅମଳିନ

ଏକ ଦେଶୁଁ ଦେଶାନ୍ତର ସେହୁ

ପ୍ରକାଶଇ ଭାସ୍ୱର କିରଣ ।।୭

ହେ ମନିଷୀ ବାଲ୍ମୀକି ଉଦ୍‌ଭବ

ତୁମେ ପରା ଦସ୍ୟୁ ରତ୍ନାକର

ଜୀବ ହିଂସା ବୃତ୍ତ ପରିଗ୍ରହ

କରୁଥିଲେ ପରସ୍ୱାପହାର ।। ୮

ନର ମୁଣ୍ଡ କଲ ତ୍ରିଡ଼ନକ

ଚିନ୍ତା ହେଲା ଉଦର ସର୍ବସ୍ୱ

ପରିଜନ ଭରଣ ପୋଷଣେ

ଅକୁଣ୍ଠିତେ ବହିଲ କଳ୍ମଷ ।।୯

ସାତ୍ତ୍ୱିକତା ନ ଥିଲା କିଞ୍ଚିତେ

ରାମ ନାମ ସ୍ଫୁରିବ ବା କାହୁଁ

ବ୍ରହ୍ମା ହେଲେ ନିସ୍ଫଳ ପ୍ରୟାସ

‘ମରା’ ‘ମରା’ ଉଚ୍ଚାରିଲ ତହୁଁ ।।୧୦

‘ମରା’ ହେଲା ରାମେ ପରିଣତ

ଆଚରନ୍ତେ କଠୋର ସାଧନା

ଅନ୍ତରରେ ନାମ ଉଚ୍ଚାରଣ

ତୁଟାଇଲା କଳୁଷ ବାସନା ।।୧୧

ପ୍ରାରବ୍‌ଧ ତ ନ ଥିଲା ତୁମ୍ଭର

କର୍ମ ତବ ପାପ ପଙ୍କ ମୟ

ଭାଗବତୀ ପ୍ରିତୀ ଆଚରଣେ

ଇହ ଜନ୍ମେ କଲ ତମ କ୍ଷୟ ।। ୧୨

ପୂର୍ଣ୍ଣଚନ୍ଦ୍ର ରାହୁଥିଲା ଗ୍ରାସି

ବିଧିର ଏ ବିଚିତ୍ର ସର୍ଜନା

ପାପ ଗ୍ରହ ଗଲା ଅପସରି

ବିଚ୍ଛୁରିଲ ଅମିୟ ଜ୍ୟୋତ୍ସନା ।।୧୩

☆☆☆

 

ରାଧିକା

 

ବୃଷଭାନୁ-ନନ୍ଦିନୀ ରାଧିକା

କୁଞ୍ଜେ କିବା କର ଅଭିସାର

ଶାରଦୀୟା ପୂର୍ଣ୍ଣିମା ରଜନୀ

ଶୁଭିଲା କି ମୁରଲୀ ମଧୁର ।।୧

ଧୀରେ ପଦ ବିକ୍ଷେପେ ଚାଲିଛି

ସଙ୍ଗେ କିପାଁ ନାହାନ୍ତି ଟି କେହି

ଭାବୁଛ କି ଯିବ ଏକାକିନୀ

ଗୋପୀନାଥ ମନ ନେବ ମୋହି ।।୨

ଗଣ୍ଡ ଯୁଗେ ଦୋହଲେ କୁଣ୍ଡଳ

ବକ୍ଷେ ଶୋହେ ମୁକୁତାର ହାର

ନୀଳ ଶାଢ଼ି ପରିବୃତ ଅଙ୍ଗ

କୃଷ୍ଣ ଚିତ୍ତ କରିବ ଅସ୍ଥିର ।।୩

ବୃଥା ଆଶା ମହାଭାବ ମୟି

କୃଷ୍ଣ ପରାମଦନ ମୋହନ

ଗୋପୀନାଥ ଆଖ୍ୟା ଧରେ ମାତ୍ର

ଇଚ୍ଛେ ଯେଣୁଁ ଭାବର ବନ୍ଧନ ।।୪

ଜଟିଳା କୁଟିଳା ଆଦି ଯେତେ

ଶାଶୁ ଅବା ନଣନ୍ଦ ତୁମର

ନ ଥିଲେ କି ଆଉ ବ୍ରଜ ନାରୀ

ଶୂନ୍ୟ କିବା ଥିଲା ବ୍ରଜପୁର ।।୫

ସେମାନଙ୍କୁ ନ ଶୁଭେ କି ବଂଶ

ତୁମେ କିପାଁ ହୁଅ ହରବର

କୃଷ୍ଣଗତ ପ୍ରାଣ ତୁମେ ରାଧା

ପୂରାଅ ଗୋ ତପସ୍ୟା ଏଥର ।।୬

ବେଦମାର୍ଗ ପରିହାର କରି

ଉପେକ୍ଷିଲ ପତି ଓ ଆତ୍ମୀୟ

ଜଳ ସ୍ଥଳ ଆକାଶ ସହିତେ

ଦେଖିଲ ଗୋ ସବୁ କୃଷ୍ଣମୟ ।।୭

ଯମୁନାର ‘କାଳିଆ କମଳେ’

ଦେଖିଥିଲ କୃଷ୍ଣ ପ୍ରତିଚ୍ଛବି

ତମାଳର ବରନ ଦର୍ଶନେ

ହୃଦ ତବ ଯାଉଥିଲା ଦ୍ରବି ।।୮

କରୁଥିଲ କେତେ ଅଭିମାନ

ନ ଘେନିବ କଜ୍ଜ୍ୱଳର ଗାର

ନ ଦେଖିବ ନୟନେ ଗୋ ଆଉ

ଆପ୍ରାଣାର କବରୀର ଭାର ।।୯

ନେତ୍ର ମୁଦି ରହିଥାଏ ଯେବେ

ଅନୁଭବି କୃଷ୍ଣ ଅନ୍ଧକାର ।

ନିରବଧି ଅଶ୍ରୁଧାର ବହି

ସାତ୍ତ୍ୱିକର ଏକାନ୍ତ ବିକାର ।।୧୦

କେ କଳିବ ସେ ସମର୍ଥରତି

କେ ଜାଣିବ ଭକ୍ତ ମନ କଥା

ଭକ୍ତ ବାଞ୍ଛା କଳ୍ପତରୁ ବିନା

ନ ତୁଟିବ ହୃଦୟରେ ବ୍ୟଥା ।।୧୧

ଯାଅ ରାଧା ବୃନ୍ଦାରଣ୍ୟେ ଚଳି

ମିଳିବେ ଗୋ ତହିଁ ଗୋପୀନାଥ

ପ୍ରକଟିବେ ଅନନ୍ତ ମୂରତି

ପୂରାଇବେ ଭକ୍ତ ମନୋରଥ ।।୧୨

ନେତ୍ର ମୋର ବାସନା-ଅଞ୍ଜନେ

ରଞ୍ଜିତ, ମୋ ଦୃଷ୍ଟି କଳୁଷିତ

ମହାଭାବ ବୁଝିବି ମୁଁ କାହିଁ

ମଣେ ତାହା ଅଶ୍ଳୀଳ କୁତ୍ସୀତ ।।୧୩

ବାଜୁ ପଛେ କଳଙ୍କ ଡିଣ୍ଡିମ

ଲୋଷ୍ଟ୍ରପାତେ ଟଳେ କି ପର୍ବତ

ନିଷ୍କାମତା ଶିଖାଅ ଗୋ ମୋତେ

ସ୍ୱାର୍ଥ ଚିନ୍ତା କର ବିଦୁରିତ ।। ୧୪

☆☆☆

 

ମହାଳୟା

 

ପିତୃ ପିତାମହ ଆଦି ସର୍ବେ

ଆସିବ କି ସ୍ୱର୍ଗରୁ ଓହ୍ଲାଇ

ମହାଳୟା ଶ୍ରାଦ୍ଧ ତିଥି ଆଜି

ଦେଉଛି ମୁଁ ତଣ୍ଡୁଳ ବଢ଼ାଇ । ୧

ପିତୃଲୋକ ହେବ କିବା ଶୂନ୍ୟ

ହେବ ତୁମେ ଧରା ଅବତୀର୍ଣ୍ଣ

ଶ୍ରଦ୍ଧାରେ ମୁଁ ଅର୍ପୁ ଅଛି ଯାହା

ଘେନିବ କି ମୋ ତିଳ ତର୍ପଣ । ୨

ଭୂତ ଶୁଦ୍ଧି ଆତ୍ମ ଶୁଦ୍ଧି ପାଇଁ

କରିଛି ମୁଁ ସ୍ନାନ ଆଚମନ

ବେଦ ମନ୍ତ୍ର ଉଚ୍ଚାରଣ ସହ

କରି ଗାତ୍ରେ ସଲିଳ ସିଞ୍ଚନ । ୩

କୁଶାଗ୍ରରେ ଆବାହାନ କରେଁ

ନତ ଶିରେ କରେଁ ନମସ୍କାର

ଗନ୍ଧ ପୁଷ୍ପେ କରି ପୁଣି

ଅର୍ପିଥାଏଁ ସଲିଳର ଧାର । ୪

ବ୍ରହ୍ମଠାରୁ ସ୍ତମ୍ଭ ପରିଯନ୍ତେ

ଜଗତର ଯେତେ ଚରାଚର

ଦେବଲୋକୁଁ ଋଷିଲୋକ ଯାଏ

ପୂଜିଲ ମୁଁ ଦେଇ ଜଳଧାର । ୫

ଶ୍ୱାନ ତଥା ସ୍ୱପଚ ବାୟସେ

କରି ଅଛିଁ ଅନ୍ନ ବଳି ଦାନ

ଅତିଥି ମୁଁ ଭୁଞ୍ଜାଏ ଅବଶ୍ୟ

ପ୍ରୀତ ହେବେ ତହିଁ ନାରାୟଣ ।୬

କର୍ତ୍ତବ୍ୟ କି ସାଙ୍ଗ ହେଲା ମୋର

କହ ତୁମେ ଅମୃତ ଦେବତା

ପିତୃ ଋଣୁଁ ମୁକ୍ତ ହେଲି କିବା

ଆସିଲା କି ଚିତ୍ତ ବିଶୁଦ୍ଧତା ? ୭ ।

ବିବେକ ମୋ ଅସ୍ୱୀକାର କରେ

କହେ ଏହା —ଶୂନ୍ୟ ଆଡ଼ମ୍ୱର

ଶୁଷ୍କ କର୍ମେ ଭଣ୍ଡାର ଲୋକଙ୍କୁ

କରେଁ ଆତ୍ମ୍ୟ ବଡ଼ିମା ପ୍ରଚାର । ୮

ଅକ୍ରୋଧ- ନ ହେଲି କେବେ ମୁଁ ହିଁ

କଲି କେତେ ଶୁଚି ଆଚରଣ ?

ଆଚାଣ୍ଡାଳେ ପ୍ରୀତି ଥାନ୍ତା ଯେବେ

କାହିଁ ଥାନ୍ତା ଅସ୍ପୃଶ୍ୟର ସ୍ଥାନ ।୯

ଦାନ ଭାବ ଥାନ୍ତା ଯଦି ମୋର

ପ୍ରତି ବେଶୀ ଦରିଦ୍ର ବାନ୍ଧବେ ।

ଆକାଶ କି ଉଛୁଳି ଉଠନ୍ତା

ସାମ୍ୟବାଦ ପ୍ରଚାରର ରବେ । ୧୦

ଭୁଲିଛୁଁ ମୁଁ ଆପଣା ସଂସ୍କୃତି

ଫିଙ୍ଗି ଦେଇ ସ୍ୱହସ୍ତ କର୍ପୂର

ମାତିଛି ମୁଁ କନାରେ କେବଳ

ଚିନ୍ତା ତାହା ଘୋରକୁ ସଂସ୍କାର ।୧୧

କେବେ ମୋର ହେବ ସଦବୁଦ୍ଧି

ଆଲିଙ୍ଗିବି ପ୍ରୀତିରେ କେବଳ

ଦୀନ ଦୁଃଖୀ ଆସନ୍ତୁ ବା ଯେତେ

ମହାଳୟା ହେବ ମୋ ସଫଳ । ୧୨

☆☆☆

 

ବାରାଣସୀ

 

ଧନ୍ୟହେଲି, ଧନ୍ୟହେଲି, ପ୍ରଭୋ;

ସ୍ପର୍ଶି ଆଜି ତବ ପୁଣ୍ୟ ସ୍ଥଳୀ

ପ୍ରଖ୍ୟାତ ଏ ବାରାଣସୀ କ୍ଷେତ୍ର

ବିଶ୍ୱେଶ୍ୱର ଦେହଳୀ ।। ୧

ବିଶ୍ୱର ହେ ମଙ୍ଗଳ ଆଧାର

ପରିଗ୍ରହ ବିଗ୍ରହ ପାଷାଣ

ପାଲଟିଲ ସ୍ପର୍ଶ ମଣି ଅବା

କରିବାକୁ ଆୟସେ ସୁବର୍ଣ୍ଣ ।। ୨

ଚନ୍ଦ-ମୌଳି ! ଦେବ ବିଶ୍ୱନାଥ

ଚନ୍ଦ୍ରେ କରି ମସ୍ତକ ଭୂଷଣ

ହଳାହଳ-ପୂର୍ଣ୍ଣ ଏହି ବିଶ୍ୱେ

କରୁଅଛ ଅମୃତ ବର୍ଷଣ ।। ୩

ଭାଗୀରଥୀ ତ୍ରିଲୋକ-ପାବିନୀ

ଶିବଜଟା ଯାହାର ଆସ୍ଥାନ

ମର୍ତ୍ତ୍ୟ ଲୋକ ପ୍ରବାହିନୀ ଏବେ

ଶାନ୍ତି ଧାରା କରିବ ସିଞ୍ଚନ ।। ୪

ଶାନ୍ତି କାହିଁ, ଶାନ୍ତି କାହିଁ, ପ୍ରଭୋ !

ବସ୍ତୁବାଦୀ ବିଜ୍ଞାନ ଜଗତ

କରିବାକୁ ଆତ୍ମୀୟ ଧ୍ୱଂସନ

ମାରଣାସ୍ତ୍ର କରଇ ସଜ୍ଜିତ ।।୫

ବହୁବିଧ ବାଦ ବିସମ୍ୱାଦେ

ପରିପୂର୍ଣ୍ଣ ଆଜିର ପ୍ରପଞ୍ଚ

ମୁହୂର୍ତ୍ତକେ ହୋଇ ପାରେ ପୁଣି

ବିଭୀଷିକା ନୃତ୍ୟ ରଙ୍ଗମଞ୍ଚ ।। ୬

ଘୋଷେ ବୃଥା ପୌରାଣିକୀ ବାର୍ତ୍ତା

ଶ୍ରେଷ୍ଠ ଅସ୍ତ୍ର ହେବ ଅବା ବଜ୍ର

ବ୍ରହ୍ମ ଅସ୍ତ୍ର କଳ୍ପନା କେବଳ

ତା ସମକ୍ଷେ ଲଭିବ ନିସ୍ତେଜ ।। ୭

କୁରୁକ୍ଷେତ୍ର ସମର ପ୍ରାଙ୍ଗଣେ

ନାରାୟଣ ପାର୍ଥର ସାରଥି

ନଧରିବେ ଚକ୍ର ସୁଦର୍ଶନ

ପ୍ରଦାନିଲେ ଦୃଢ଼ ପ୍ରତିଶ୍ରୁତି ।। ୮

କାହିଁ ସେହି ପବିତ୍ର ଚିନ୍ତନ ?

ଦୃପ୍ତ ନର ଆସୁରିକ ବଳେ

ଆଣବିକ ଶକ୍ତି ପରାକାଷ୍ଠା

ଦେଖାଇବ ଆଜି ରଣସ୍ଥଳେ ।। ୯

ସୃଜିବାର ଶକ୍ତିନାହିଁ ତା’ର

ସ୍ମରଇ କି ମର୍ତ୍ତ୍ୟର ମାନବ

ଆତ୍ମତୃଷ୍ଣା ନିବାରଣ ଅର୍ଥେ

ସୃଷ୍ଟିକରେ ମୃତ୍ୟୁର ତାଣ୍ଡବ ।। ୧୦

ଭବାବ୍‌ଧିର ତରଙ୍ଗ ବିକ୍ଷୋଭେ

ଆନ୍ଦୋଳିତ ସଦା ମୋ ଅନ୍ତର

ଆଧି ବ୍ୟାଧି ତାପଗ୍ରସ୍ତେ ମୁହିଁ

ଅନ୍ୱେଷଇଁ ଶାନ୍ତି ଉପଚାର ।।୧୧

କି ଶାନ୍ତି ମୁଁ ପାଇବି ଶଙ୍କର

ଧାଇଁ ସଦା ମୃଗତୃଷ୍ଣା ଆଶେ

ଯୋଗେଶ୍ୱର ! ଘେନିଯାଅ ମୋତେ

ବଞ୍ଚେ ଯହିଁ ଶାନ୍ତିର ନିଶ୍ୱାସେ ।।୧୨

☆☆☆

 

ଗୋକୁଳେ ଦର୍ଶନେ

 

ଏହିକି ସେ ଦ୍ୱାପରର

ଗୋକୁଳ ଭବନ

ଅବତରି ଥିଲେ ଏଥି

ଯଶୋଦା ନନ୍ଦନ ।। ୧

ଭେଦା ଭେଦ ନ ଥିଲା ତ

ଏ ସ୍ଥଳେ କାହାର

ଶତ୍ରୁ ମିତ୍ରେ ମିଳୁଥିଲା

ସମ ବ୍ୟବହାର ।। ୨

ପୂତନା ତ ଆସିଥିଲା

ସ୍ତନ୍ୟେ ବିଷ ଭରି

ଧାତ୍ରୀ ଛଳେ କୃଷ୍ଣ ପ୍ରାଣ

ନେବା ପାଇଁ ହରି ।। ୩

ପ୍ରାଣ ବିସର୍ଜିଲା ସେହୁ

ପାଇଲା ମୁକତି

ଅନ୍ତିମେ ଲଭିଲା ପୁଣି

ଜନନୀର ଗତି ।। ୪

ଯଶୋଦା ରଜ୍ଜୁରେ ଏଥେଁ

ପ୍ରଭୁ ଭାବଗ୍ରାହୀ

ଭକତ-ବତ୍ସଳ କିବା

ଥିଲେ ବନ୍ଧା ହୋଇ ।।୫

ଆପଣା ମାୟାରେ ଆପେ

ସହିଲେ ପ୍ରହାର

ଜନନୀର ବକ୍ଷେ ମୁଞ୍ଚି

କେତେ ଅଶ୍ରୁନୀର ।। ୬

ସଖା ସହିତରେ ଅବା

କରି ଧୂଳିଘର

ଉଚ୍ଛିଷ୍ଟକି ଭୁଞ୍ଜି ଥିଲେ

ପ୍ରଭୁ ଦାମୋଦର ।। ୭

ଦେବରାଜ କୋପ କଲେ

ଧଇଲେ ପର୍ବତ

ବିଶ୍ୱର ବିଧାତା ପୁଣି

ହେଲା ମୋ ହଗତ ।। ୮

ଶାରଦ ନିଶିରେ ବାଇ

ମୁରଲୀ-ମୋହନ

କରିଥିଲେ ଗୋପୀକୁଳ

କାମନା ପୂରଣ ।। ୯

ଅକ୍ରୂର ଆସିଲେ ଯେବେ

କଂସ-ଦୂତ ପଣେ

ବିଶ୍ୱମୟ କୃଷ୍ଣ ରୂପ

ଦେଖିଲେ ନୟନେ ।। ୧୦

ଧୂଳିରେ ଦେଖିଲେ ବଜ୍ର

ଧ୍ୱଜାଙ୍କୁଶ ଚିହ୍ନ

ଗୋକୁଳ ଦିଶିଲା ତାଙ୍କୁ

ଗୋଲକ-ଭୂବନ ।। ୧୧

କାହିଁ ସେ ଗୋବିନ୍ଦ କାହିଁ

ଗୋପର ଜୀବନ

ଏବେ କିପାଁ ସବୁ ମୋତେ

ଦିଶେ ଆନ ଆନ ।। ୧୨

ଏକ ପ୍ରାନ୍ତୁଁ ଅନ୍ୟ ପ୍ରାନ୍ତେ

ବୁଲେଁ ବୃନ୍ଦାବନ

ନଦେଖଇଁ ତହିଁ ପ୍ରଭୁ—

ଚରଣର ଚିହ୍ନ ।।୧୩

ନ ଶୁଭଇଁ ତହିଁ ଆଉ

ମଧୁର ମୁରଲୀ

ନାହାନ୍ତି କି ସେ ବିପିନେ

ରାଧା ଚନ୍ଦ୍ରାବଳୀ ।।୧୪

ଧବଳୀ ଶ୍ୟାମଳୀ ହମ୍ୱା

ରବ ଶୁଭୁ ନାହିଁ

ସୁଦାମ ସୁବଳ ସଖା

ନ ଦିଶନ୍ତି କାହିଁ ।।୧୫

ନନ୍ଦର ନବରେ ନାହିଁ

ନୂପୁର ନିକ୍ୱଣ

ଗୋପୀଗୃହେ ନବନୀତ

ନ ହୁଏ ହରଣ ।।୧୬

ଅବିନାଶା ସତ୍ତ୍ୱମୟ

ନାହିଁ ତା ବିଲୟ

ତଥାପି ନ ଦିଶେ କିପାଁ

ଭଜଇଁ ବିସ୍ମୟ ।।୧୭

ରହିଛନ୍ତି ଗୋପେ ଦାଣ୍ଡେ

କେତେ ନାରୀ ନର

କିଏ ଦୀନ କିଏ ଅନ୍ଧ

କେବା କଦାକାର ।। ୧୮

ମଣୁଥାଏଁ ସେମାନଙ୍କୁ

ଛୁଇଁବା ଅଯୋଗ୍ୟ

କରନ୍ତି ସେ ପୂର୍ବ ଜନ୍ମ

ଦୁଷ୍କୃତିର ଭୋଗ ।। ୧୯

ତାଙ୍କପାଇଁ ହୃଦେ ମୋର

ନାହିଁ ଅନୁରାଗ

କରି ନାହିଁ ତାଙ୍କ ପାଇଁ

କେବେ କିଛି ତ୍ୟାଗ ।।୨୦

ଦର୍ଶନରେ କରେଁ କେତେ

ଭ୍ରୂକୁଟି ଚାଳନ

କିପରି ଦେଖିବି ତାଙ୍କ

ମଧ୍ୟେ ନାରାୟଣ ।।୨୧

କଳୁଷ ବାସନା କରେ

ଚିତ୍ତ ଧୂମାୟିତ

ହିଂସା ଦ୍ୱେଷ ଲୋଭ ମୋହେ

ରହିଲି ଜଡ଼ିତ ।।୨୨

ଆକାଶ କୁସୁମ ଆଶେ

ଧାଏଁ ମୁଁ ସତତ

ରଖିବାକୁ ଜଗତକୁ

ଆପଣା ଆୟତ୍ତ ।।୨୩

ପୃଥିବୀରେ ପୂରାଇବ

କେ ମୋର ବାସନା

ସୂର୍ଯ୍ୟ ଚନ୍ଦ୍ର ଗ୍ରହ ଲୋକ

ଏବେ ମୋ କାମନା ।।୨୪

ଲିଭାଅ ଲିଭାଅ ପ୍ରଭୁ

ଏ ମୋର ଅନଳ

ଶୋଷି ନିଅ କାଳୀୟର

ବିଷ ହଳାହଳ ।। ୨୫

ପ୍ରେମ ମୈତ୍ରୀ ବେଣୁ ସ୍ୱନ

ଶୁଣାଅ ବହନ

ଜନତାରେ ଦେଖାଅ ତୋ

ରୂପ ଜନାର୍ଦ୍ଦନ ।।୨୬

☆☆☆

 

ପୁରୀ ମନ୍ଦିର ସମକ୍ଷେ

 

ମହୋଦଧି ତଟ ଶ୍ରୀକ୍ଷେତ୍ର ନିବାସୀ

ନୀଳାଚଳ-ନାଥ ପ୍ରଭୁ ବ୍ରହ୍ମରାଶି ।।୧

ତୁମେପରା ଦେବ ପତିତ ଉଦ୍ଧର

ମୋ ବେଳକୁ କିପାଁ ଅବରୁଦ୍ଧ ଦ୍ୱାର ।।୨

କୋଟି ନର ନାରୀ ବଡ଼ଦାଣ୍ଡେ ଆସି

ହୋଇଛନ୍ତି ରୁଣ୍ଡ ଦର୍ଶନ ମନାସି ।।୩

ଖଣ୍ଡିବେ ତାଙ୍କର ଦୂରିତ ଅଶେଷ

ନ ଥିବ ଅନ୍ତିମେ ଶମନର ତ୍ରାସ ।।୪

କେଡ଼େ ଘୃଣ୍ୟ ମୁହିଁ କେଡ଼େ ଅକିଞ୍ଚନ

କେମନ୍ତେ ତୋ ରୂପ ଦେଖିବି ମୋହନ ।।୫

ଜୀବନ ଯାପିଲ ସଦା ନିନ୍ଦନୀୟ

ଗର୍ବ ଦମ୍ଭେ ବୁଡ଼ି ରହିଲ ହୃଦୟ ।।୬

ସାଂଧୁଚିନ୍ତା କେବେ ନ ଥିଲା ମୋ ମନେ

ପର ଉପକାର ନ କରେଁ ସ୍ୱପନ ।।୭

ଆପଣା ପ୍ରଭୁତ୍ୱ ବିସ୍ତାରିବା ଇଛି

ବିଧି ବା ନିଷେଧ ନ ମାନିଲି କିଛି ।।୮

ବାହାର ଲୋକଙ୍କୁ ଭଣ୍ଡାଇବା ପାଇଁ

ଜଗନ୍ନାଥ ନାମ ଉଚ୍ଚେ ଘୋଷୁଥାଇଁ ।।୯

ଲୌହ ପିଣ୍ଡେ ମୋର ଲାଗିଛି କଳଙ୍କ

କେମନ୍ତେ ଟାଣିବ ଶାଶ୍ୱତ ଚୁମ୍ବକ ।।୧୦

ସେ କଳଙ୍କ ଆଜି ଧୋଇବାର ପାଇଁ

ମହାସିନ୍ଧୁ ଜଳ ଅଣ୍ଟିବତ ନାହିଁ ।।୧୧

ଅନୁତାପେ ନେତ୍ରୁ ଲୋତକ ବୁହାଇ

ଭାବୁଛିଁ ସେ ପାପ ପଙ୍କ ଦେବି ଧୋଇ ।।୧୨

ମନ ମୋ ରହିବ ତୋ ପଦ ଯୁଗଳେ

ତୋ ରୂପ ମାନସେ ଧ୍ୟାୟିବି ନିଶ୍ଚଳ ।।୧୩

ହସ୍ତ କରୁଥିବ ମନ୍ଦିର ମାର୍ଜନା

ନ ଚଳିବ ପାଦ ତୀର୍ଥ ଯାତ୍ରା ବିନା ।।୧୪

ଶ୍ରବଣ କରିବ ତୋ ଲୀଳା ଶ୍ରବଣ

ରସନା କରିବ ତୋ ନାମ ରଟନ ।।୧୫

‘‘କୃଷ୍ଣ ନାମେ ପାପକ୍ଷୟ’’ ହେବ ଘୋର

କବି ଦୀନକୃଷ୍ଣ ଉକ୍ତି ହେବ ସାର ।।୧୬

ଅହେତୁକୀ ଭକ୍ତି ହୋଇବ ଉଦୟ

ଜଗତ ଦେଖିବି ଜଗନ୍ନାଥ ମୟ ।।୧୭

ସେବକ ହେବାକୁ ବଳାଇବି ମନ

କାଚ ଖୋଜୁଁ ଖୋଜୁଁ ପାଇବି କାଞ୍ଚନ ।।୧୮

ଏହି ଆଶା ପ୍ରଭୁ ! କରିବ ପୂରଣ

ନାମ ବହ ଯଦି ପତିତ-ପାବନ ।।୧୯

☆☆☆

 

ଅହଲ୍ୟାର ମନୋବେଦନା

 

ପାଷାଣୀ ଅହଲ୍ୟା ମୁଁହିଁ, ଧରାବକ୍ଷ

ମୋର ତୁଳି ତଳ୍ପ

ଉନ୍ମୁକ୍ତ ଗଗନ ତଳେ କଟାଇଲି

କାଳ କଳ୍ପ କଳ୍ପ ।।୧

ବୈଶାଖର ରୌଦ୍ର ତାପ ଶ୍ରାବଣର

ଅବିଶ୍ରାନ୍ତ ଧାରା

ପୌଷର ତୁଷାର ବୃଷ୍ଟି କେଉଁ ଦୁଃଖ

ସହି ନାହିଁ ପରା ।।୨

ପଥ ଶାନ୍ତ ପଥିକ କି ବସି ନାହିଁ

ମୋର ବକ୍ଷ ପରେ

ପଦାଘାତ କରି କେତେ ନିର୍ମମ ଓ

ନିର୍ଦ୍ଦୟ ଭାବରେ ।।୩

ତାଚ୍ଛିଲ୍ୟ ବା ଘୃଣାଭରେ କରେ କେହୁ

ନାସିକା କୁଞ୍ଚନ

ଅସତୀ କୁଳଟା ବୋଲି ନ ଦେଇଛି

କିଏ ବା ଲାଞ୍ଛନ ।।୪

ଶତ ଅଶ୍ୱମେଧଯଜ୍ଞେ ନ ତୁଟିଲା

ଇନ୍ଦ୍ରର ବାସନା

ଗୌତମର ରୂପ ପରିଗ୍ରହ ଆଚରିଲା

ପତିତ୍ୱ ଛଳନା ।।୫

ବହିରଙ୍ଗ ଆବରଣ ତଳେ ଥିଲା ତା’ର

କାମନା ବିକାର

କପଟତା ନ ପାରିଲି ଭେଦି ଲଭିଲି ମୁଁ

ଅଭିଶାପ ଘୋର ।।୬

ଇନ୍ଦ୍ର କେବେ ନ ପାଇଲା ଶାସ୍ତି ଦଣ୍ଡ ତା’ର

ହେଲାତ ମଣ୍ଡନ,

ସହସ୍ରାକ୍ଷ ନାମେ ପରିଚିତ, ଭୋଗକଲା

ସ୍ୱର୍ଗ ସିଂହାସନ ।।୭

ପୁରୁଷର ଅଧିକାର ବଳେ କରି ନାରୀ

ସତୀତ୍ୱ-ହରଣ

ନୀର୍ଲ୍ଲଜ୍ଜର ଡିଣ୍ଡିମ ବଜାଇ ଦେଖାଇଲା

ନିଜ ବଡ଼ ପଣ ।।୮

ମାନବ ସୃଷ୍ଟିରେ ଯେବେ ପୂରିଥାଏ

ଏହି ଅବିଚାର,

ବଞ୍ଚାଇଲ କିମ୍ବା ମୋତେ ? ହେ ରାଘବ !

ଦୟାର ଆଧାର ।।୯

ଅକାରଣ-କରୁଣ ହେ ବିଶ୍ୱର ବିଧାତା

ଅଶରଣ-ଶରଣ ବାନ୍ଧବ

ସ୍ପର୍ଶି-ତବ ଚରଣ-ଯୁଗଳ ଦେଲ କିପାଁ

ନବ ଅବୟବ ।।୧୦

ଚତୁଃପାର୍ଶ୍ୱେ ଦେଖେଁ ମୁହିଁ ଆଜି ପୂରିଅଛି

ନରକ ଗୌରବ

ହତ୍ୟା, ମିଥ୍ୟା ପରସ୍ୱ-ଲୁଣ୍ଠନ ବଢ଼ାଉଛି

ପୁରୁଷ ଗୌରବ ।।୧୧

ଯେଣେ ଦେଖ ଅର୍ଥର ଲାଳସା ଘୋଟିଅଛି

କ୍ଷମତାର ମୋହ

ସତ୍ୟ ଶୌଚ, ଦାନ, ବ୍ରତ ଆଦି ପୃଥିବୀରୁ

ନେଲେଣି ବିଦାୟ ।।୧୨

ପରଂବ୍ରହ୍ମ ରାମଚନ୍ଦ୍ର ! କିପାଁ କର

ମାୟାର ସୃଜନ

କି ଆନନ୍ଦ ଲଭିବ, ଈଶ୍ୱର, ଦେଖି ଏହି

ସୃଷ୍ଟିର ପତନ ।।୧୩

ଯୁଗେ ଯୁଗେ ଧରା ଅବତରି କର ଯଦି

ଧର୍ମର ସ୍ଥାପନ

ଶୁଦ୍ଧ ସ୍ୱତ୍ୱ କରିହେ ବିସ୍ତାର

ଅସତ୍ୟର ଉଚ୍ଛେଦ ସାଧନା ।।୧୪

ବିଶ୍ୱ କର୍ତ୍ତା ! ବିଶ୍ୱର ନିୟନ୍ତା ! ଅଟ ତୁମେ

ସର୍ବ ଶକ୍ତି ଧର

ଦୀନ ବନ୍ଧୁ, ପତିତ ପାବନ କର କେତେ

ପତିତ ଉଦ୍ଧାର ।।୧୫

କେ ନକରେ କେତେ ବା ମିନତି କାହାଇଚ୍ଛ

ନ କର ପୂରଣ

ଆଜୀବନ ଶତ୍ରୁ ଅଟେ ହୁଅ ତା’ର

ମୁକ୍ତିର କାରଣ ।।୧୬

ବହିର୍ମୁଖ ମାନବ ସମାଜ ବୁଝେ ନାହିଁ

ତବ ଶକ୍ତି ମତ୍ତା

ବସ୍ତୁବାଦେ ମତ୍ତ ଅଟେ ଯେଣୁଁ, କଳ୍ପଇ ସେ

ନିଜକୁ ବିଧାତା ।।୧୭

ଜନାର୍ଦ୍ଦନ ! ଜଗତ ପାବନ ! ଉଦ୍ଧରି

ଏ ଅଭାଗିନୀରେ

(ତବ) ପଦାବ୍‌ଜରେ ରଖ ମୋର ମତି, ସଂସାରର

ଦୂରେ, ବହୁ ଦୂରେ ।।୧୮

☆☆☆

 

ବାରଙ୍ଗନା ଓ ଜରତା

 

ଶତ ଶଯ୍ୟାର ନାୟିକା ପରା ଗୋ

ସାଜିଥିଲ ସତେ ସାଜିଥିଲ ।

ପରପଦେ ତବ ଯଉବନ ବିକି

ଧନ ଦଉଲତ ଗଢ଼ିଥିଲ ।।୧

ରୂପର ପସରା ମେଳି ଦେଇଥିଲ

ନଗରର ଯେଉଁ ବିପଣୀରେ

ଭ୍ରାନ୍ତ ଯୁବକ ଅଗଣନ ଆସି

ଭିକାରୀ ସାଜିଲେ ସେ ଦୁଆରେ ।।୨

ସମାଜ ଶାସନେ ଭୟତ ନ ଥିଲା,

ଲଜ୍ଜା ଲୁଚିଲା ତୁମ ଡରେ

ପରକାଳ କଥା ଭାବିବ କିଆଁ ଗୋ

କିବା ଅଛି ସେଇ ପର ପାରେ ।।୩

ମୁଖ ମଣ୍ଡଳ ସଜାଉ ଥିଲତ

କୃତ୍ରିମ କେତେ ଉପାଦାନେ

ରସାଣିତ କରି ଆପଣା ରୂପକୁ

ସାଜିଥିଲ ସଦା ଆଭରଣ ।।୪

ସୁବାସ ଚଇତେ ଘନ ନୀଳ କେଶ

କରୁଥିଲ ନି କି ପ୍ରସାଧନ

କୁସୁମ ଗଭାରେ କବରୀ ବାନ୍ଧିଲ

ଦିଶୁଥିଲା କେଡ଼େ ସୁଯତନ ।।୫

କପାଳେ ତୁମର ସିନ୍ଦୂର ଗାର

ବଢ଼ାଉ ଥିଲା ତ ମୁଖ ତୋର

ନୟନ କୋଣରେ କଜ୍ଜଳ ରେଖା

ଥିଲା ଯୁବାଜନ ମନ କାରା ।।୬

ତାମ୍ବୁଳ ରାଗେ ରଞ୍ଜିତ କରି

ଅଧରରେ ହାସ ଫୁଟାଇଲ

କଣ୍ଠରେ ତବ କମ୍ପନ ଭରି

ଉନ୍ମାଦ ସୁରା ପରଷିଲ ।।୭

ଅନ୍ନ ବିହୀନେ ପ୍ରତିବେଶୀ ଯେବେ

କରୁଥିଲା କେତେ ହାହାକାର

ଭିକ୍ଷୁକ ଆସି ହାତ ପାତିଥିଲା

ନିରାଶେ ଫେରିଛି ବାରଦ୍ୱାର ।।୮

କରୁଣା-ଉତ୍ସ ଫିଟିଲା ନାହିଁତ

ନିଷ୍ଠୁର ତୁମ ହୃଦୟରେ

ଦୁଃସ୍ଥ କାହାକୁ ଅନାଇଲ ନାହିଁ

ଜୀବନ ଯାପିଲ ମଦଭରେ ।।୯

ଗଳିତ ଅଙ୍ଗ ଦେଖିଲେ କାହାର

ମନେ କର କେତେ ଅଭିମାନ

କାଳ-ପ୍ରବାହରେ ଭୋଗିବ ସେ ଦଶା

ନ ଥିଲା ତୁମର ସେଇ ଜ୍ଞାନ ।।୧୦

ଆଜି କିପାଁ ତେବେ ମଉନେ ବସିଛ

ନାହିଁ କି ଗୋ ଆଉ ଅଭିସାର

ଭାବୁଛ କି ବସି ଜୀବନରେ ତୁମେ

କରିଅଛ କେତେ ଅବିଚାର ।।୧୧

ଇତିହାସ ତୁମ ଖବର ରଖିନି

ରଖିବନି ଆଉ କେଉଁ କାଳେ

ଜୀବନେ ନରକ ଭୋଗୁଥିବ ଯେବେ

କେହିତ ନ ଥିବେ ସେତେବେଳେ ।।୧୨

ଦ୍ୱାଦଶ ବରଷ ବୃଷ୍ଟି ନୋହିଛି

ଅଙ୍ଗ ଅଧିପ ଭାଳେ ମନେ

ଦେଶ ଦୁର୍ଦ୍ଦଶା ଘୁଞ୍ଚିବ ଅବା

ଋଷ୍ୟ ଶୃଙ୍ଗର ଆଗମନେ ।।୧୩

ଆଜମନ ଯାର ଆଶ୍ରମ-ବାସ

ସଂସାର ପଥେ ଟାଣିବ କିଏ

ରାଜ ଦରବାରେ ପଡ଼ିଛି ଭାବନା

ସଚୀବ ସମାଜେ ନୃପତି ଚାହେଁ ।।୧୪

ବୃଦ୍ଧା ଜରତା ବାରନାରୀ ସିନା

ଆଶ୍ରମେ ଯାଏ ତାପସ ଆଣି

ମରୁଡ଼ି ଦାଉରୁ ଉଦ୍ଧରେ ଦେଶ

ଶମନ ମୁହଁରୁ ଜୀବନ ଟାଣି ।।୧୫

ଗଲାଣି କରତା ଗଲାଣି ସେ କାଳ

ଜରତା ରହିଛି ଜନ ସ୍ମୃତିରେ

ସମାଜର ହିତ ସାଧନା ଯାହାରେ

ଜନତା ତାହାକୁ ଭୁଲି କି ପାରେ ।।୧୬

ବାର ନାରୀ ? ତୁମେ ଅନୁତାପ କର,

ଅନୁତାପ ହେଉ ବହ୍ନି ସମ

ଦୃଷ୍କୃତି ସବୁ ଜାଳି ପୋଡ଼ି ଦିଅ

ଗଢ଼ି ନିଅ ଥରେ ନୂଆ ଜୀବନ ।।୧୭

ତୁମେ ପରା ନାରୀ; ତୁମେ ତ ଜୀବନୀ;

ତୁମରି ହୃଦୟେ ପୀୟୂଷ ଧାର ।

ପୀୟୂଷେ ଗରଳ ନ ଭରିବ ଆଉ

ନ ବଢ଼ାଅ ତୁମ ପାପର ଭାର ।।୧୮

ରାଜପଥେ ବାରେ ନିରେଖି ଅନାଁଅ

ବାଳକ ବାଳିକା କେତେ ଅନାଥ

ଆଦର ନିଅ ଗୋ ଯତନେ ତାହାଙ୍କୁ

ଜାଣିବ ସେମାନେ ଯଶୋଦା-ସୁତ ।।୧୯

☆☆☆

 

ପ୍ରଧାନ ପାଟ ଜଳପ୍ରପାତ

 

ବାମଣ୍ଡା ରାଇଜେ ପରବତ ମାଳା

ତହିଁରେ ପ୍ରଧାନ-ପାଟ

ଦେବଦୁର୍ଗ ଶିରେ ଶୋଭିତ ସେ ଅବା

ସତେ କି ରାଜ ମୁକୁଟ ।।୧

ପାହାଡ଼ ଶିଖର ଅଦେଖା ଗହ୍ୱରୁ

ଝରି ଆସେ ନିର୍ଝରିଣୀ,

ଧ୍ୱର୍ଜ୍ଜଟୀ ମସ୍ତକୁ ଭାଗିରଥୀ କିବା

ଓହ୍ଲାଇଲେ ଏ ଧରଣୀ ।।୨

ପାଦଦେଶେ ତାର ସଲିଳ ପ୍ରପାତ

ରଚି ଅଭିନବ ସୃଷ୍ଟି

ଭ୍ରାନ୍ତି ଉପୁଯାଏ ପ୍ରଚଣ୍ଡ ନିଦାଘେ

ଶୀକାର କଣାର ବୃଷ୍ଟି ।।୩

ନାହିଁ ମେଘୋଦୟ ନାହିଁ ତ ଶରତ

ଦିଶେ ତହିଁ ଇନ୍ଦ୍ରଧନୁ

ସାରା ବରଷରେ ବହଇ ମଳୟ

ପୁଲକିତ କରେ ତନୁ ।।୪

ବନ ତରୁଲତା ସଦା କୁସୁମିତ

ମଧୁପୁର ତହିଁ ବାସ

ବିହଙ୍ଗମ କେତେ ରଚନ୍ତି କାକଳି

ମନେ ଜଗାଇ ଉଲ୍ଲାସ ।।୫

ଭାଗିରଥୀ ହେବୁ କେମନ୍ତେ, ତଟିନୀ

ସେ ସିନା କବି କଳ୍ପନା

ପର୍ବତ ଝରଣା ପୁଣ୍ୟ ତୋୟା ହେବ

ନୁହେଁ କି ତା ବିଡ଼ମ୍ବନା ।।୬

ନୁହେ ବିଡ଼ମ୍ବନା ନୁହେ ଲୋ ତଟିନୀ

ମନେ ପଡ଼େ ଗତ କଥା

ରଚିଲେ ଉତ୍କଳେ ଶାରଳା ଦାସ ଲୋ

ମହାଭାରତର ଗାଥା ।।୭

ଦାସ ବଳରାମ ଗାଇଗଲେ ପୁଣି

ଅଭିନବ ରାମାୟଣ

ଜଗନ୍ନାଥ କଲେ ଉତ୍କଳ ଭାଷାରେ

ଭାଗବତ ପାରୟଣ ।।୮

କଳା କଉଶଳେ ରଚିଗଲେ କେହୁ

ଚଉତିଶା ଚଉପଦୀ

ଜଣାଣ, ଭଜନ, କୋଇଲି ଗୀତ ଲୋ

କେ କେତେ ଗଲେ ସଂପାଦି ।।୯

ଧର୍ମ, ଦରଶନ ଗହନ କଥା ଲୋ

ଗୀତେ ହେଲା ପରକାଶ

ପଞ୍ଚସଖା ଆଦି ଜ୍ୟୋତିଷ୍କ-ମଣ୍ଡଳୀ

ମଣ୍ଡିଲେ ସାହିତ୍ୟକାଶ ।।୧୦

ବାଣୀ ବରପୁତ୍ର ଉପେନ୍ଦ୍ର ଭଞ୍ଜ ସେ

କବିକୁଳ ଶିରୋମଣି

ନିର୍ମାଣିଲେ କେତେ କାବ୍ୟ ସଉଧ ଲୋ

ନାହିଁତ ନ ଥିବ ପୁଣି ।।୧୧

ସାମନ୍ତ ସିଂହାର ବିରଚିଲେ ତାଙ୍କ

ବିଦଗଧ ଚିନ୍ତାମଣି

ଯଦୁମଣି ରଚେ ରୁକ୍ମିଣୀ-ବିବାହ

ସେତ ପୂର୍ଣ୍ଣଚନ୍ଦ୍ର ଜାଣି ।।୧୨

କବି-ରବି ସୃଷ୍ଟି ନୂଆ ନୂଆ ଚମ୍ପୂ

ବୁହାଏ ସଂଗୀତ ଧାରା

ଦୀନକୃଷ୍ଣ କୃତ ରସ-କଲ୍ଲୋଳ ଲୋ

ବୈଷ୍ଣବର କାବ୍ୟ ତାରା ।।୧୩

ପଠାଣି ସାମନ୍ତ କାଠି ଖଣ୍ଡକରେ

କରିଗଲା ଯେ ଗଣନା

ଖଗୋଲ ବିଦ୍ୟାରେ ଅବଧି ତାହାର

ହୋଇତ ନାହିଁ କଳନା ।।୧୪

କିଏ ସେ ବୁଝିବ ନିୟତିର ଗତି

ସେତ ଆସେ ଅତର୍କିତେ

ଉତ୍କଳ ଗଗନେ ଅଜ୍ଞାନ ତାମସ

ଘୋଟିଗଲା ଅକସ୍ମାତେ ।।୧୫

ଋଷି ଅଭିଶାପ ଅନଳ ପରଶେ

ଯେସନେ ସଗର ସୁତ

ଗଜପତି ଦେଶ କବିକୁଳ ଅବା

ହୋଇଗଲେ ଜୀବନ୍ମୃତ ।।୧୬

ନ ଶୁଭିଲା ଆଉ ବଲ୍ଲକୀ ଝଙ୍କାର

କୋଇଲିର କୁହୁସ୍ୱନ,

ପଡ଼ୋଶୀ ରାଇଜ ଅରିକୁଳ ଆସି

ଚଳାଇଲେ ଆକ୍ରମଣ ।।୧୭

ସେ କାଳର ଦଶା କିଏ ବୁଝିବ ଲୋ

ଭାଷା ହେଲା ଟଳମଳ

ରାଘବ-କୁଳର ଭଗୀରଥ ସମ

ଉଦୟ ହେଲେ ସୁଢ଼ଳ ।।୧୮

ଗଙ୍ଗ ବଂଶୋଦ୍ଭବ ସେହି ନରପତି

ତୋ ପୁଣ୍ୟ ସଲିଳ ଆଣି

ଭାବୁକ ସମାଜେ ସିଞ୍ଚିଲେ ସୁଧାକି

ପ୍ରକାଶିଲା ହିତେଷିଣୀ ।।୧୯

କବିକୁଳ ଅବା ପାଇଲେ ଜୀବନ

ହେଲା ସାରସ୍ୱତ ଲୀଳା

ପୂର୍ବେ ରାଧାନାଥ ପଶ୍ଚିମେ ମେହେର

ପ୍ରକାଶିଲେ କାବ୍ୟ କଳା ।।୨୦

ଭକ୍ତିପୂତ ମନେ ଶ୍ରୀ ମଧୂସୁଦନ

ଗାଇଲେ ବସନ୍ତ ଗାଥା

ପଦ୍ମ ପାଖୁଡ଼ାରେ ପଦ୍ମଚରଣ ତ

ବନ୍ଦିଲେ ଉତ୍କଳ ମାତା ।।୨୧

କାରାଗାର ବାସ ପ୍ରସ୍ତର ବେଷ୍ଟନୀ

ଗୋପବନ୍ଧୁ ମଣି ତୁଚ୍ଛ

ଦେଶବାସୀ ପାଶେ ସମର୍ପିଣ ଦେଲେ

କାରା କବିତାର ଗୁଚ୍ଛ ।।୨୨

ନନ୍ଦ କିଶୋରର ପଲ୍ଲୀ-ଗୀତିକା ଲୋ

ଗ୍ରାମର ନିଖୁଣ ଚିତ୍ର

ଗୋଦାବରୀଶର କାଳିଜାଈ ଗୀତ

ନୁହେ କି ଅତି ବିଚିତ୍ର ।।୨୩

ନୀରବ ସାଧକ କବି ଚିନ୍ତାମଣି

ପ୍ରକୃତିର ଚିତ୍ରକର

ଗଙ୍ଗ ନୃପ ସୁତେ ଗୁନ୍ଥିଦେଲେ କେତେ

କାବ୍ୟ କବିତାର ହାର ।।୨୪

କେମନ୍ତେ କହିବି ତୁହି ଲୋ ଝରଣା

ନୋହୁ କେବେ ସୁରଧୁନି

କାହା ପରସାଦେ ଫକୀର ମୋହନ

ଉତ୍କଳର ବ୍ୟାସ ମୁନି ।।୨୫

ଘେନ ମୋ ପ୍ରଣତି ପ୍ରଧାନ ପାଟ ତୁ

ମୂକ ମୁଖେ ଦିଅ ଭାଷା

ଦିଗନ୍ତ ବିସ୍ତାର ଶାଶ୍ୱତୀ ମହିମା

ପୂରାଅ ଉତ୍କଳ ଆଶା ।।୨୬

Image